ମନିଗ୍ରାମ୍ ଏବଂ ଫେଡ଼େରାଲ ବ୍ୟାଙ୍କ ମଧ୍ୟରେ ସହଭାଗିତା
ନୂଆଦିଲ୍ଲୀ ,(ଓ୍ବାଇଏନ୍ଏସ୍):ଅନ୍ତର୍ଜାତୀୟସ୍ତରରେ ମନି ଟ୍ରାନ୍ସଫର କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମନିଗ୍ରାମ୍ ଇଂଟରନ୍ୟାଶନାଲ୍ର ଅଂଶୀଦାର ମନିଗ୍ରାମ୍ ପେମେଂଟ୍ ସିଷ୍ଟମ୍ ଭାରତର ଅଗ୍ରଣୀ ପ୍ରାଇଭେଟ୍ ସେକ୍ଟର ବ୍ୟାଙ୍କ ଫେଡ଼େରାଲ ବ୍ୟାଙ୍କ ଲିମିଟେଡ୍ ସହିତ ମିଳିତ ଭାବେ କାର୍ଯ୍ୟ କରିବା ସମ୍ପର୍କରେ ଘୋଷଣା କରିଛି । ଏହାଦ୍ୱାରା ଗ୍ରାହକ ଘରେ ବସି ସିଧାସଳଖ ସେମାନଙ୍କର ସଂଚୟ ଖାତାରେ ଜମା ହାସଲ ସୁବିଧା ଉପଲବ୍ଧ କରିପାରିବେ । ସାମ୍ପ୍ରତିକ ସ୍ଥିତିରେ ଗ୍ରାହକଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ।ଏହି ଅବସରରେ ମନିଗ୍ରାମ୍ର ମୁଖ୍ୟ ରେଭିନ୍ୟୁ ଅଫିସର ଗ୍ରାଂଟ୍ ଲାଇନ୍ସ୍ କହିଲେ,ଡିଜିଟାଇଜିଂ ଫାଇନ୍ସିଆଲ୍ ସେବା ପ୍ରଦାନ କ୍ଷେତ୍ରରେ ଭାରତରେ ଫେଡ଼େରାଲ ବ୍ୟାଙ୍କ ବେଶ୍ ପରିଚିତି ହାସଲ କରିପାରିଛି । ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ସମୟରେ ଆମେ ଫେଡେରାଲ ବ୍ୟାଙ୍କ ସହିତ ମିଳିତ ହୋଇ ଗ୍ରାହକଙ୍କ ସଂଚୟ ଖାତାକୁ ଟଙ୍କା ଟ୍ରାନ୍ସଫର କରିବାକୁ ସକ୍ଷମ ହେବୁ । ଘରେ ବସି ଗ୍ରାହକ ଏହି ସୁବିଧା ପାଇପାରିବେ ।ବିଶ୍ୱବ୍ୟାଙ୍କ ଅନୁସାରେ ଭାରତ ପୃଥିବୀର ରିମିଟାନ୍ସ୍ ତାଲିକାରେ ଆଗରେ ରହିଛି । ୨୦୧୯ରେ ଭାରତ ୮୨ ବିଲିୟନ୍ ଡଲାର ରିମିଟାନ୍ସ୍ ହାସଲ କରିଥିଲା । ଭାରତର ରିମିଟାନ୍ସ୍ ବଜାରରେ ଫେଡ଼େରାଲ ବ୍ୟାଙ୍କର ୧୫%ରୁ ଅଧିକ ଶେୟାର ରହିଛି । ମନିଗ୍ରାମ୍ ସହିତ ମିଳିତ ହେବା ପରେ ଉଭୟଙ୍କର କାରବାର ଅଧିକ ବୃଦ୍ଧି ପାଇବାର ଆଶା ରହିଛି ।ଏହି ଅବସରରେ ଫେଡ଼େରାଲ ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଶାଲିନୀ ୱାରିଅର କହିଲେ, “ମନିଗ୍ରାମ୍ ସହିତ ମିଳିତ ହୋଇଥିବାରୁ ଆମେ ବେଶ୍ ଆନନ୍ଦିତ । ଏହାଦ୍ୱାରା ପ୍ରବାସୀ ଭାରତୀୟମାନେ ଭାରତକୁ ବିଶ୍ୱାସନୀୟତା ସହିତ ସହଜରେ ଟଙ୍କା ପଠାଇପାରିବେ । ବିକଶିତ ଜ୍ଞାନକୌଶଳ ସହାୟତାରେ ଫେଡ଼େରାଲ ବ୍ୟାଙ୍କ ମନିଗ୍ରାମ୍ ସହିତ ମିଳିତ ହୋଇ ଶ୍ରେଷ୍ଠ ଗ୍ରାହକ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହୋଇପାରିବ ।ସୂଚନାଯୋଗ୍ୟ, ମନିଗ୍ରାମ୍ ୨୦୦ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି । ସେଥିମଧ୍ୟରୁ ୭୦ରୁ ଅଧିକ ଦେଶରେ ଡିଜିଟାଲ କାରବାର ଜାରି ରଖିଛି । ଗ୍ରାହକ ସେବା କ୍ଷେତ୍ରରେ ବ୍ୟାଙ୍କ ବିଶ୍ୱାସନୀୟତା ହାସଲ କରିପାରିଛି ।ସେହିପରି ଫେଡ଼େରାଲ ବ୍ୟାଙ୍କ ଅଗ୍ରଣୀ ପ୍ରାଇଭେଟ୍ ସେକ୍ଟର ବ୍ୟାଙ୍କ ଭାବେ ପରିଚିତି ହାସଲ କରିପାରିଛି । ଭାରତରେ ଏହାର ୧,୨୭୬ ଶାଖା ଏବଂ ୧,୯୩୭ ଏଟିଏମ୍ ରହିଛି । ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଏହାର ମୋଟ କାରବାର ପରିମାଣ ୨.୪୬ ଲକ୍ଷ କୋଟି ଟଙ୍କା ଥିଲା । ସେହିପରି ଏହାର ଲାଭ ପରିମାଣ ୧,୨୪୪ କୋଟି ଟଙ୍କା ଥିଲା । ଏହାର କ୍ୟାପିଟାଲ ଆଡିକ୍ୱାସି ରେସିଓ ବାସେଲ-୩ ଗାଇଡ୍ ଲାଇନ୍ ଅନୁସାରେ ୧୪.୧୪% ରହିଛି । ଦୁବାଇ ଏବଂ ଆବୁଧାବିରେ ଏହାର ଶାଖା କାର୍ଯ୍ୟାଳୟ ରହିଛି ।


