ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଡଃ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ : ୨୦୨୦-୨୧ ବର୍ଷ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କାର୍ଜ୍ୟକାରୀ ବୋର୍ଡର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଅନୁଷ୍ଠିତ ବୋର୍ଡର ୧୪୭ତମ ଅଧିବେଶନରେ ଜାପାନର ଡଃ ହିରୋକି ନାକାତାନିଙ୍କ ସ୍ଥାନରେ ଡଃ ହର୍ଷ ବର୍ଦ୍ଧନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଅଧ୍ୟକ୍ଷ ଆସନ ଅଳଙ୍କୃତ କରିବା ପରେ କୋଭିଡ-୧୯ ବୈଶ୍ଵିକ ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ବିଶ୍ଵବାସୀଙ୍କ ପ୍ରତି ଡଃ ହର୍ଷ ବର୍ଦ୍ଧନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କ ଗହଣରେ କୋଭିଡ ଯୋଦ୍ଧାମାନଙ୍କ ଅସିମ ତ୍ୟାଗ ଓ ସଂକଳ୍ପ ପ୍ରତି ସାଧୁବାଦ ଜଣାଇଛନ୍ତି । ଏହି ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରାଯାଇଥିବାରୁ ମୁଁ ନିଜକୁ ଗୌରବାନ୍ଵିତ ମନେ କରିବା ସହ ମୋର ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଉଛି । କୋଭିଡ-୧୯ ପରି ବୈଶ୍ଵିକ ମହାମାରୀ ସମଗ୍ର ମାନବ ଜାତି ପାଇଁ ଏକ ମୁକାବିଲା ଭାବେ ସ୍ଵୀକାର କରି ଆଗାମୀ ଦୁଇ ଦଶନ୍ଧି ଖୁବ ଆହ୍ଵାନମୂଳକ ହେବ ବୋଲି ସେ କହିଛନ୍ତି । ସମନ୍ଵିତ ଦାୟିତ୍ଵ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସମସ୍ତ ସଦସ୍ୟ ଦେଶମାନଙ୍କ ପାଇଁ ଏକ ଆଦର୍ଶ ହୋଇଥିବା ବେଳେ ସମସ୍ୟାର ମୁକାବିଲା ପାଇଁ ସମନ୍ଵିତ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏହି ବୈଶ୍ଵିକ ମହାମାରୀ ସମଗ୍ର ମାନବ ଜାତିକୁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଦିଗ ପ୍ରତି ସଚେତନ କରାଇଛି । ବୈଶ୍ଵିକ ଜନସ୍ୱାସ୍ଥ୍ୟ ପଦ୍ଧତି ପାଇଁ ଅଧିକ ପୁଞ୍ଜି ଆବଶ୍ୟକ ସହ ଏହାକୁ ସୁଦୃଢ କରିବାକୁ ପଡିବ ବୋଲି ସେ କହିଛନ୍ତି । ଡଃ ହର୍ଷ ବର୍ଦ୍ଧନ କୋଭିଡ-୧୯ ମୁକାବିଲା ଦିଗରେ ଭାରତୀୟ ଅଭିଜ୍ଞତାର ମଧ୍ୟ ଅବତାରଣା କରିଛନ୍ତି । ସେ କହିଛନ୍ତି ଯେ, ଆମ ଦେଶରେ କରୋନା ମୃତ୍ୟୁ ହାର ମାତ୍ର ଶତକଡା ୩ ଭାଗ ରହିଛି । ୧୩୫ କୋଟି ବିଶିଷ୍ଟ ଜନସଂଖ୍ୟା ଦେଶରେ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ହୋଇଥିବା ବେଳେ ଶତକଡା ୪୦ ଭାଗ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇପାରିଛନ୍ତି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କାର‌୍ୟ୍ୟକାରୀ ବୋର୍ଡର ନୂତନ ଅଧ୍ୟକ୍ଷ ଭାବେ ବିଭିନ୍ନ ରୋଗର ନିରାକରଣ ପାଇଁ ନିଜର ସଂକଳ୍ପବଦ୍ଧତାକୁ ସେ ଦୋହରାଇଛନ୍ତି । ପାରସ୍ପାରିକ ସହଯୋଗ ଓ ସଂକଳ୍ପବଦ୍ଧ ପ୍ରୟାସ ଦ୍ଵାରା ବିଶ୍ୱରୁ ଅନେକ ରୋଗର ମୂଳୋତ୍ପାଟନ କରାଯିବା ସହ ବିଶ୍ଵବ୍ୟାପୀ ଔଷଧପତ୍ର ଓ ଟୀକାର ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ଦୂର କରିବାକୁ ହେବ । ସଂଗଠନର ସଦସ୍ୟ ରାଷ୍ଟ୍ର ଓ ଏଥିରେ ସିଂହ ଭାଗ ଥିବା ରାଷ୍ଟ୍ରଗୁଡିକ ସମ୍ମିଳିତ ଉଦ୍ୟମ କରି ସମନ୍ଵିତ ବିକାଶର ଲକ୍ଷ ହାସଲ କରିପାରିବେ । ସଂଗଠନର ସମନ୍ଵିତ ବିକାଶ ଓ ନେତୃତ୍ଵ ବଳରେ ଏହି ସ୍ଵପ୍ନକୁ ସାକାର କରିବା ପାଇଁ ସବୁପ୍ରକାରର ଚେଷ୍ଟା ସେ କରିବେ ବୋଲି କହିଛନ୍ତି । ଡଃ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଜାତି, ଧର୍ମ, ବର୍ଣ୍ଣ, ସାମାଜିକ ଓ ଆର୍ଥିକ ଅବସ୍ଥା ଓ ରାଜନୈତିକ ଚିନ୍ତାଧାରାରୁ ଊର୍ଦ୍ଧ୍ଵରେ ରହି ବିଶ୍ଵବ୍ୟାପୀ ସ୍ଵାସ୍ଥ୍ୟସେବା ମାନବୃଦ୍ଧି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମୂଳ ଲକ୍ଷ୍ୟ । ସେଦୃଷ୍ଟିରୁ ଆମ୍ଭେମାନେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହ ମିଶି ସୁଦୃଢ ବୈଶ୍ଵିକ ସ୍ଵାସ୍ଥ୍ୟସେବା ଲକ୍ଷ୍ୟକୁ ହାସଲ କରିପାରିବା ବୋଲି ସେ କହିଛନ୍ତି । ଡଃ ହର୍ଷ ବର୍ଦ୍ଧନ କାର‌୍ୟ୍ୟକାରୀ ବୋର୍ଡର ଅଧ୍ୟକ୍ଷ ପଦ ସମ୍ଭାଳିବା ସହ ବିଶ୍ଵର ଭବିଷ୍ୟତ ସ୍ୱାସ୍ଥ୍ୟ ଦୃଶ୍ୟପଟ ନେଇ ମଧ୍ୟ ନିଜର ଚିନ୍ତାଧାରା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ମାନବିକ ସାମର୍ଥ୍ୟ ଓ ଆର୍ଥିକ କାର‌୍ୟ୍ୟ ଦକ୍ଷତା ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ହେଉଛି ମୂଳ ଉପାଦାନ । ତେବେ ପ୍ରକୃତି ସହ ଉତ୍ତମ ବୁଝାମଣା ଉପରେ ଜନସ୍ୱାସ୍ଥ୍ୟ ନୀତି ପର୍ଜ୍ୟବସିତ ହେବା ଆବଶ୍ୟକ । ଏହାମଧ୍ୟ ଭାରତୀୟ ପାରମ୍ପାରିକ ଭେଷଜ ପଦ୍ଧତି ଓ ଜନସ୍ୱାସ୍ଥ୍ୟ ଉପରେ ପର୍ଜ୍ୟବସିତ ବୋଲି ତାଙ୍କର ନିଜର ଅଭିଜ୍ଞତା ରହିଛି । ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାସ୍ଥ୍ୟ ସଚେତନତା ଆହ୍ଵାନ ଭାରତର ସାର୍ବଜନୀନ ସ୍ୱାସ୍ଥ୍ୟ ନୀତିକୁ ପରିପୃଷ୍ଟ କରିଛି । ଭାରତରୁ ପୋଲିଓ ଦୂର କରିବା ଦିଗରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଦୃଢ ସମର୍ଥନ ପ୍ରତି ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ନୈତିକ ସମର୍ଥନ ବିନା ଏହା ସେ କରିପାରି ନଥାନ୍ତେ ଓ ଆଜି ଭାରତରୁ ପୋଲିଓ ଦୂର ହୋଇ ନଥାନ୍ତା ବୋଲି ସେ କହିଛନ୍ତି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପୋଲିଓ ଉନ୍ମଳନ ସହ ବିଭିନ୍ନ ସମ୍ମାନସ୍ପଦ କମିଟିରେ ସଦସ୍ୟ ଭାବେ କାର୍ଜ୍ୟ କରିବା ସହ ସେ ସଂଗଠନର ପରାମର୍ଶଦାତା ଭାବେ ମଧ୍ୟ କାର୍ଜ୍ୟ କରିଛନ୍ତି । ବିଶ୍ଵ ସ୍ଵାଷ୍ଠ ସଂଗଠନର କାର୍ଜ୍ୟକାରୀ ବୋର୍ଡରେ ୩୪ଜଣ ବୈଷୟିକ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ୩ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି । ବିଶ୍ଵ ସ୍ୱାସ୍ଥ୍ୟ ପରିଷଦର ବିଭିନ୍ନ ନିଷ୍ପତ୍ତି ଓ ନୀତିକୁ କାର୍ଜ୍ୟ କରିବାର ଦାୟିତ୍ଵ ଏହି ବୋର୍ଡ ଉପରେ ନ୍ୟସ୍ତ ହୋଇଛି । ଡଃ ହର୍ଷ ବର୍ଦ୍ଧନଙ୍କ ଦୀର୍ଘ ଦିନର କ୍ୟାରିୟରରେ ଏହା ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ୧୯୭୯ରେ କାନପୁରସ୍ଥିତ ଜିଏସଭିଏମ ଭେଷଜ ମହାବିଦ୍ୟାଳୟରୁ ସ୍ନାତକ ଓ ୧୯୮୩ରେ ଭେଷଜ ଶାସ୍ତ୍ରରେ ଅଧିସ୍ନାତକ ଉପାଧି ଲାଭ କରିଥିଲେ । ୧୯୯୩ରେ ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହେବା ପର୍ଜ୍ୟନ୍ତ ସେ ସରକାରୀ ଚାକିରିରେ କାର୍ଜ୍ୟ କରୁଥିଲେ । ୨୦୧୪ରେ ଚାନ୍ଦିନୀଚୌକରୁ ଲୋକସଭାକୁ ନିର୍ବାଚିତ ହେବା ପର୍ଜ୍ୟନ୍ତ ସେ ପାଞ୍ଚ ଥର ପାଇଁ ବିଧାନସଭା ସଦସ୍ୟ ଥିଲେ । ୧୯୯୩ରୁ ୧୯୯୮ ପର‌୍ୟ୍ୟନ୍ତ ସେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବେ କାର୍ଜ୍ୟ କରିଥିଲେ । ୧୯୯୪ରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ସେ ଦିଲ୍ଲୀରେ ୩ ବର୍ଷ ପର୍ଜ୍ୟନ୍ତ ପିଲାଙ୍କ ସାର୍ବଜନୀନ ଟୀକାକରଣ କାର୍ଜ୍ୟକ୍ରମକୁ ସଫଳ କରାଇପାରିଥିଲେ । ଏହାହିଁ ଦେଶକୁ ପୋଲିଓ ମୁକ୍ତ କରିବାର ମୂଳଦୁଆ ପକାଇଥିଲା । ସେ Delhi Prohibition of Smoking and Non-Smokers Health Protection Act, ୧୯୯୭କୁ ତ୍ୱରାନ୍ୱିତ କରିବା ପରେ ଦେଶର ଅନ୍ୟାନ୍ୟ ରାଜ୍ୟ ଏହାକୁ ଆପଣାଇଥିଲେ । ଡଃ ହର୍ଷ ବର୍ଦ୍ଧନ ୨୦୧୪ରେ କେନ୍ଦ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ପରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଭୂ-ବିଜ୍ଞାନର ମନ୍ତ୍ରୀ ଭାବେ କାର୍ଜ୍ୟ କରିଥିଲେ । ସେ ମଧ୍ୟ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରୀ ଭାବେ ମଧ୍ୟ କାର୍ଜ୍ୟ କରିଛନ୍ତି । ୨୦୧୯ରେ ସେ ସପ୍ତଦଶ ଲୋକସଭାକୁ ପୁନଃନିର୍ବାଚିତ ହୋଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଭୂ-ବିଜ୍ଞାନ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ