ମଉଳା ଭଣଜା ମହାବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଡେରିକି ପଂଚାୟତ ଅନ୍ତର୍ଗତ ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟରେ ପ୍ରବାସୀ ଓଡିଆ ମାନେ ରହିବା ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ଫେରିଥିବା ୪୪ ଜଣ ପ୍ରବାସୀ ଓଡିଆ ରହୁଛନ୍ତି । ସରକାରଙ୍କ ନିୟମାନୁସାରେ ପ୍ରଦତ ଖାଦ୍ୟ ଏଠାରେ ପ୍ରଦାନ କରାଯାଉ ନଥିବା ବେଳେ ନିମ୍ନମାନର ଖାଦ୍ୟ ସହିତ ଶୌଚାଳୟରେ ଅବ୍ୟବସ୍ଥା ଯୋଗୁ ପ୍ରବାସୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପ୍ରବାସୀମାନଙ୍କ ସୂଚନା ମୁତାବକ ଏହି କେନ୍ଦ୍ରରେ ଗୋଟିଏ ସ୍ଥାନରେ ୫ଟି ଶୌଚାଳୟ ନିର୍ମାଣ କରାଯାଇଛି । ଏକ ସ୍ଥାନରେ ଏତେ ଲୋକ ରହୁଥିବା ବେଳେ ଶୌଚାଳୟରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଯାହାଫଳରେ ମଳତ୍ୟାଗ କରିବା ପାଇଁ ଅସୁବିଧା ହେଉଛି । ଏପରିକି ଗାଧୋଇବା ସମୟରେ ଗାଧୁଆ ଘର ପାଣି ନିଷ୍କାସନ ନ ହୋଇ ନଳକୂପ ନିକଟରେ ଜମା ହେଇଛି । ସେହିପରି ପ୍ରଦାନ କରାଯାଉଥିବା ଖାଦ୍ୟ ନିମ୍ନମାନର ହେଉଥିବା ପ୍ରବାସୀମାନେ ଅଭିଯୋଗ କରିବା ସହିତ ଶନିବାର ମଧ୍ୟାହ୍ନ ଖାଦ୍ୟ ବର୍ଜନ କରିଛନ୍ତି । ନିମ୍ନମାନର ଖାଦ୍ୟ ଯୋଗୁ ପ୍ରବାସୀମାନେ ନିଜ ଘରୁ ଖାଦ୍ୟ ମଗାଉଥିବା ବେଳେ କେନ୍ଦ୍ରକୁ ପରିବାର ଲୋକ ଖାଦ୍ୟ ଆଣି ପହଂଚୁଥିବା ଦେଖିବାକୁ ମିଳିଛି । ଖାଦ୍ୟ ଖାଇବା ପାଇଁ ପ୍ରବାସୀମାନଙ୍କୁ କେନ୍ଦ୍ର ନୋଡାଲ ଅଧିକାରୀ ସରୋଜ କୁମାର ସ୍ୱାଇଁ ଓ କେନ୍ଦ୍ର କମିଟିର ସଦସ୍ୟ ଦୁର୍ଯୋଧନ ଜେନା ବୁଝାବୁଝି କରୁଥିଲେ ମଧ୍ୟ ପ୍ରବାସୀମାନେ ମଧ୍ୟାହ୍ନରେ ଖାଦ୍ୟ ଗ୍ରହଣ କରିନଥିଲେ । ପରେ ଅପରାହ୍ନ ସମୟରେ ଚା ଗ୍ରହଣ କରିଥିବା ଜଣାଯାଇଛି । ଖବର ଲେଖା ହେଲା ବେଳକୁ ରାତ୍ର ଭୋଜନ ପହିଁଚି ନଥିବା ଜଣାଯାଇଛି । ଏ ସଂପର୍କରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୋଡାଲ ଅଧିକାରୀ ସରୋଜ କୁମାର ସ୍ୱାଇଁଙ୍କୁ ପଚାରିବାରୁ ଯେଉଁ ମହିଳା ସ୍ୱୟଂ ସହାୟୀକା ଦଳ ଖାଦ୍ୟ ପ୍ରଦାନ କରୁଛି ପ୍ରତ୍ୟେହ ଏକ ପ୍ରକାର ଖାଦ୍ୟ ଦେଉଥିବା ବେଳେ ନିମ୍ନମାନର ଦେଉଥିବା ଆମେ ଶୁଣିବାକୁ ପାଇଲୁ । ପ୍ରବାସୀମାନଙ୍କୁ ବୁଝାଇବା ପରେ ମଧ୍ୟ ମଧ୍ୟାହ୍ନ ଭୋଜନ ଗ୍ରହଣ କଲେ ନାହିଁ । କିନ୍ତୁ ସଂଧ୍ୟା ସମୟରେ ଚା ଗ୍ରହଣ କରିଛନ୍ତି । ଖାଦ୍ୟର ମାନ ପରିବର୍ତନ କରିବା ସହିତ ଠିକ ସମୟରେ ଖାଦ୍ୟ ପ୍ରଦାନ କରିବା ପାଇଁ ସ୍ୱୟଂ ସହାୟିକା ଦଳକୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷେ ଶୌଚାଳୟ ଅବ୍ୟବସ୍ଥା ବିଷୟରେ ପଚାରିବାରୁ ପ୍ରବାସୀମାନେ ଆସିବା ପାଇଁ ଅତି କମ ସମୟରେ ମଧ୍ୟରେ ଶୌଚାଳୟ ନିର୍ମାଣ କରାଯାଇଛି ତେଣୁ ସମସ୍ୟା ଦେଖାଦେଇଛି । ତାହାକୁ ସମାଧାନ କରିବା ପାଇଁ ଆମେ ଯଥା ଶୀଘ୍ର ଚେଷ୍ଟା କରିବୁ ବୋଲି କହିଥିଲେ । ଏ ସଂର୍ପକରେ ଆରଡବ୍ଲୁଏସଏସର କନିଷ୍ଠ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ପଚାରିବାରୁ କମ ସମୟ ମଧ୍ୟରେ ଶୌଚାଳୟ ଗୁଡିକ ନିର୍ମାଣ କରାଯାଇଥିବାରୁ ଜଳ ନିଷ୍କାସନରେ ଅସୁବିଧା ଦେଖାଦେଇଛି । ପ୍ରବାସୀଙ୍କୁ ସ୍ଥାନାନ୍ତରିତ କରାଗଲା ପରେ ପୂର୍ଣ୍ଣବାର କାମ କରାଯିବ ବୋଲି କହିଛନ୍ତି ।