ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଥାନାରେ ଅଭିଯୋଗ

ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର କଲରାବାଙ୍କ ଗ୍ରାମରେ ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶୁକ୍ରବାର ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଲିଖିତ ଅଭିଯୋଗ ନାଉଗାଁ ଥାନାରେ ଦାଖଲ କରାଯାଇଛି । ସନ୍ତୋଷ ମହାନ୍ତି, ବିନାୟକ ଦାସ, ଶୁଭମ ଦାସ, ମଞ୍ଜୁଲତା ଦାସ ଓ ଝରୀ କାଣ୍ଡିଙ୍କ ସମେତ ଅନ୍ୟ ଗ୍ରାମବାସୀମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, କିଛି ଦୁର୍ବୃତ୍ତ ଉଦ୍ଦେଶ୍ୟ ମୂଳକ ଭାବେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିଛନ୍ତି। ଏହା କେବଳ ଏକ ପ୍ରତିମୂର୍ତ୍ତିର କ୍ଷତି ନୁହେଁ, ବରଂ ସାମ୍ବିଧାନିକ ମୂଲ୍ୟବୋଧ, ସାମାଜିକ ସମାନତା ଓ ଭାଇଚାରା ପ୍ରତି ଆଘାତ ବୋଲି ସେମାନେ ଉଲ୍ଲେଖ କରିଛନ୍ତି । ଏଭଳି ଘଟଣା ଅଞ୍ଚଳର ଶାନ୍ତି, ସଦ୍‌ଭାବନା ଓ ସାମାଜିକ ସଂହତିକୁ କ୍ଷୁଣ୍ଣ କରିବାର ଆଶଙ୍କା ଥିବାରୁ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଚିହ୍ନଟ କରି ଗିରଫ କରିବା ସହ ଆଇନ ଅନୁଯାୟୀ କଠୋର ଦଣ୍ଡ ପ୍ରଦାନ କରିବାକୁ ଦାବି କରିଛନ୍ତି। ଘଟଣାର ଖବର ପାଇ ବିଧାୟକ ଅମରେନ୍ଦ୍ର ଦାସ କଲରାବାଙ୍କ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ। ତଦନ୍ତ ଆଧାରରେ ଦୋଷୀଙ୍କୁ ଚିହ୍ନଟ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଯଥାଶୀଘ୍ର ଉକ୍ତ ସ୍ଥାନରେ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ସେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସତ୍ୟବ୍ରତ ଦାସ, ଏସ୍‌ଡିପିଓ ଦିବ୍ୟରଞ୍ଜନ ନାଥ, ଜିଲ୍ଲା ଗୁଇନ୍ଦା ଅଧିକାରୀ ପ୍ରଭାତ କୁମାର ସେଠୀ, ତହସିଲଦାର ଅକ୍ଷୟ କୁମାର ବଡୁ ଓ ନାଉଗାଁ ଥାନାଧିକାରୀ ଦେବାଶିଷ ପଣ୍ଡା ପ୍ରମୁଖ ଘଟଣାସ୍ଥଳ ରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ । ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର, ରାଜ୍ୟ ବିଜେଡି ଛାତ୍ର ଉପସଭାପତି ସୁନିଲ ମାଟିଆ, ଓଡ଼ିଶା ଭୀମ ଆର୍ମିର ରାଜ୍ୟ ଉପସଭାପତି ଅନିଲ ମଲ୍ଲିକ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ କୁମାର ପ୍ରଧାନ ଓ ଦଳିତ ବିକାଶ ପରିଷଦର ସଦସ୍ୟ ଦୁର୍ଯ୍ୟୋଧନ ଦାସ ପ୍ରମୁଖ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଜାରି ରହିଥିବା ଥାନାଧିକାରୀ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ