ଆମ୍ବେଦକରଙ୍କ ଭଙ୍ଗା ପ୍ରତିମୂର୍ତ୍ତିର ପୁନଃନିର୍ମାଣ ଓ ଦୋଷୀଙ୍କ ଗିରଫ ଦାବି
ନାଉଗାଁ (ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କଲରାବାଙ୍କ ଗ୍ରାମରେ ଭାରତରତ୍ନ ଡଃ ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାକୁ ଭୀମ ଆର୍ମି (ଭାରତ ଏକତା ମିଶନ), ଓଡ଼ିଶା ପକ୍ଷରୁ ନିନ୍ଦା କରାଯାଇଛି। ଭଙ୍ଗା ପ୍ରତିମୂର୍ତ୍ତି ସ୍ଥାନରେ ନୂତନ ପ୍ରତିମୂର୍ତ୍ତି ସ୍ଥାପନ, ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଏବଂ ପ୍ରତିମୂର୍ତ୍ତିର ସ୍ଥାୟୀ ସୁରକ୍ଷା ଦାବିରେ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଶନିବାର ବିଡିଓଙ୍କୁ ପ୍ରଦାନ କରାଯାଇଛି। ପ୍ରଥମେ ସଂଗଠନର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ନାଉଗାଁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ନିରଞ୍ଜନ ପରିଡ଼ାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଗତ ୨୦ ତାରିଖରେ ଗ୍ରାମବାସୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ଜାଣିବାକୁ ପାଇଥିଲେ। ପ୍ରତିମୂର୍ତ୍ତିର ମୁଣ୍ଡ ଭାଙ୍ଗି ନିଖୋଜ ଥିବା ଦେଖିବା ପରେ ଏନେଇ ନାଉଗାଁ ଥାନାରେ ଏତଲା ଦିଆଯାଇଥିଲା। ଏହି ଘଟଣାକୁ କେବଳ ଏକ ଭଙ୍ଗାରୁଜା ଘଟଣା ଭାବେ ନ ଦେଖି ବାବାସାହେବଙ୍କ ସମ୍ମାନ ଓ ସାମ୍ବିଧାନିକ ମୂଲ୍ୟବୋଧ ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ ଭାବେ ବିଚାର କରିବାକୁ ସଂଗଠନ ଦାବି କରିଛି। ଏଥିସହ ଜଗତସିଂହପୁର ଏସ୍ପିଙ୍କୁ ନିରପେକ୍ଷ ଓ ତ୍ୱରିତ ତଦନ୍ତ ପାଇଁ ନିର୍ଦ୍ଦେଶ, ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରୀ ଖର୍ଚ୍ଚରେ ନୂତନ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପ୍ରତିମୂର୍ତ୍ତି ସ୍ଥଳରେ ଆଲୋକୀକରଣ, ଲୁହା ଗ୍ରିଲ୍, ପାଚେରି ନିର୍ମାଣ ଓ ସିସିଟିଭି କ୍ୟାମେରା ସଂଯୋଗ ପାଇଁ ଦାବି କରାଯାଇଛି। ନିୟମିତ ପୋଲିସ ପାଟ୍ରୋଲିଂ, ସମ୍ପୃକ୍ତ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ଏବଂ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସ୍ମାରକପତ୍ରର ନକଲ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଜଗତସିଂହପୁର ଜିଲ୍ଲାପାଳ, ଏସ୍ପି, ଉପଜିଲ୍ଲାପାଳ ଓ ନାଉଗାଁ ଥାନା ଆଇଆଇସିଙ୍କୁ ପ୍ରଦାନ କରାଯାଇଥିବା ଉଲ୍ଲେଖ କରାଯାଇଛି। ଭୀମ ଆର୍ମିର ରାଜ୍ୟ ଉପସଭାପତି ଅନିଲ କୁମାର ମଲ୍ଲିକଙ୍କ ସମେତ ପ୍ରତାପ କୁମାର ମଲ୍ଲିକ, ଦିଲ୍ଲୀପ କୁମାର ମଲ୍ଲିକ, ପ୍ରମୋଦ କୁମାର କାଣ୍ଡି, ପରମାନନ୍ଦ ଦାସ, ନବଘନ ମଲ୍ଲିକ, ରଞ୍ଜନ ମଲ୍ଲିକ, ପିଣ୍ଟୁ ଚରଣ ମଲ୍ଲିକ ଓ ନନ୍ଦନ ଭୋଇ ପ୍ରମୁଖ ଉପସ୍ଥିତ ରହି ଏହି ଦାବି ଜଣାଇଥିଲେ। ଏ ସମ୍ପର୍କରେ ବିଡିଓ ନିରଞ୍ଜନ ପରିଡ଼ାଙ୍କୁ ପଚାରିବାରୁ ଅଭିଯୋଗଟିକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି। ଏଥିସହ ଅଭିଯୋଗର ତଦନ୍ତ କରି ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ଏହାକୁ ନାଉଗାଁ ଥାନାଧିକାରୀଙ୍କ ନିକଟକୁ ମଧ୍ୟ ପ୍ରେରଣ କରାଯାଇଛି ବୋଲି ସେ କହିଥିଲେ ।


