ସେପ୍ଟେମ୍ବର ସୁଦ୍ଧା କୋରୋନା ୨ ଲକ୍ଷ ଆମେରିକୀୟଙ୍କ ଜୀବନ ନେଇସାରିଥିବ: ହାର୍ଭାର୍ଡ ଏକ୍ସପର୍ଟ
ୱାଶିଂଟନ: ବିଶ୍ବରେ କୋରୋନା ଭୂତାଣୁ ତା’ର କାୟାକୁ କ୍ରମଶଃ ପ୍ରସାରିତ କରିଚାଲିଥିବା ବେଳେ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା। ଏହି ଦେଶରେ ୧ ଲକ୍ଷ ୧୫ ହଜାରରୁ ଅଧିକ ଲୋକ କୋରୋନା ସଂକ୍ରମଣ କାରଣରୁ ମୃତ୍ୟୁବରଣ କରିସାରିଥିବା ବେଳେ ୨୦ ଲକ୍ଷ ୬୬ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ରହିଛନ୍ତି। ତେବେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷକୁ ଟପିଯିବ ବୋଲି ହାର୍ଭାର୍ଡ ଗ୍ଲୋବାଲ୍ ହେଲଥ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ମୁଖ୍ୟ ଆଶିଷ ଝା’ କହିଛନ୍ତି। ବୁଧବାର ଏକ ଇଂରାଜୀ ଗଣମାଧ୍ୟମ ସହ ଆଲୋଚନା ବେଳେ ଝା କହିଛନ୍ତି ଯେ ଆମେରିକା ଯଦି କୋରୋନା ସଂକ୍ରମଣ ରୋକିବା ସକାଶେ କୌଣସି ଠୋସ୍ ପଦକ୍ଷେପ ନ ନିଏ, ତା’ହେଲେ ଏହା କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଏପରିକି ଉଦବେଗଜନକ ଭାବେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ନ ବଢ଼ିଲେ ମଧ୍ୟ ୨ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ଏକରକମ ନିଶ୍ଚିତ। ସେପ୍ଟେମ୍ବର ସୁଦ୍ଧା ଆମେରିକୀୟ ଜନସାଧାରଣଙ୍କ ମଧ୍ୟରୁ ୨ ଲକ୍ଷଙ୍କର ମୃତ୍ୟୁ ହୋଇସାରିଥିଲେ ହେଁ କୋରୋନା ସେତେବେଳ ସୁଦ୍ଧା ନିୟନ୍ତ୍ରଣକୁ ମଧ୍ୟ ଆସି ନ ଥିବ। ଅର୍ଥାତ୍ ବିଶ୍ବ ମହାମାରୀରେ ପରିଣତ ହୋଇସାରିଥିବା କୋରୋନା ମାନବ ସମାଜ ସହ ଦୀର୍ଘକାଳ ରହିବାର ଆଶଙ୍କା ମଧ୍ୟ କରାଯାଉଛି ବୋଲି ଝା’ କହିଛନ୍ତି । ଏଥିସହ କୋରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତିରେ ବିଶ୍ବ କେଉଁଆଡ଼କୁ ଗତି କରୁଛି, ସେନେଇ ଝା’ ଚିନ୍ତାଗ୍ରସ୍ତ ଥିବା କହିବା ସହ କୋରୋନାଜନିତ ମୃତ୍ୟୁକୁ ତ୍ବରିତ ପରୀକ୍ଷା ଓ କଣ୍ଟାକ୍ଟ ଟ୍ରେସିଙ୍ଗ୍, ସାମାଜିକ ଦୂରତା ନିୟମ କଡ଼ାକଡ଼ି ପାଳନ କରିବା ଓ ସବୁବେଳେ ମାସ୍କ ବ୍ୟବହାର କରିବା ଦ୍ବାରା ଆମେ ହ୍ରାସ କରିପାରିବା ବୋଲି କହିଛନ୍ତି।


