ଆଲୋଚନା, କବିତା ଆସର ଓ ଚିତ୍ର ପ୍ରଦର୍ଶନୀରେ ନୀଳରକ୍ତ କଙ୍କଡ଼ାକୁ ଜୈବ ଐତିହ୍ୟ ଘୋଷଣା ପାଇଁ ପ୍ରସ୍ତାବ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ)୪୮୦ ମିଲିୟନ ବର୍ଷ ପୂର୍ବରୁ ପୃଥିବୀରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ସନ୍ଦିପଦୀ ଜୀବ ହର୍ଷୁ କ୍ରାବ ବା ନୀଳରକ୍ତ କଙ୍କଡ଼ା ବିଶ୍ୱର ଏକ ବିଷ୍ମୟ ଜୀବ । ବହୁ ଆଦିମ ଓ ପୁରାତନ ଜୀବ ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନରେ ପୃଥିବୀ ପୃଷ୍ଠରୁ ବୀଲିନ ହୋଇଥିବା ବେଳେ ଜୀବନ୍ତ ଜୀବାଷ୍ମ କଙ୍କଡ଼ା ଜାତି ସମସ୍ତ ପ୍ରତିକୁଳ ପରିସ୍ଥିତିରେ ନିଜକୁ ବଞ୍ଚାଇ ରଖି ପାରିଛି । ଅଶ୍ୱ ଖୁରାକୃତି ଆକାରରେ ଦେଖାଯାଉଥିବା ଏହି କଙ୍କଡ଼ାର ରକ୍ତ ଧଳା ହୋଇଥିଲେ ମଧ୍ୟ ଅମ୍ଳଜାନର ସମ୍ପର୍ଶ ଆସିଲେ ନୀଳରଙ୍ଗ ଦେଖାଯାଏ । ଏଣୁ କେତେକ ବୈଜ୍ଞାନିକ ଅଶ୍ୱଖୁରାକୃତି କଙ୍କଡ଼ା ବା ନୀଳରକ୍ତ କଙ୍କଡ଼ା କହନ୍ତି । ଚାରି ପ୍ରଜାତିର ଏହି କଙ୍କଡ଼ା ପୃଥିବୀର ଆମେରିକା ଓ ଏସିଆ ମହାଦେଶରେ ଦେଖିବାକୁ ମିଳୁଥିବା ବେଳେ ଭାରତରେ ଦୁଇ ପ୍ରଜାତିର କେବଳ ଆମ ବାଲେଶ୍ୱରର ସମୁଦ୍ର କୂଳବର୍ତ୍ତୀ ନଦୀ ମୁହାଣମାନଙ୍କର ଲୋକମାନେ ଏହାକୁ ରାମ ଲିଖନ, ରାମ ଲକ୍ଷଣ, ଲକ୍ଷଣ ପାତିଆ, କଙ୍କଉ ଇତ୍ୟାଦି ନାମରେ ନାମିତ କରିଛନ୍ତି । ଆମେରିକାରେ ମିଳୁଥିବା ଗୋଟିଏ ପ୍ରଜାତିର ଏହି କଙ୍କଡ଼ାରୁ ମିଳୁଥିବା ଅମୂଲ୍ୟ ରକ୍ତକୁ ବୈଜ୍ଞାନିକ ମାନେ ଗବେଷଣା କରି ଦୂର୍ଲଭ ଔଷଧ ଆବିଷ୍କାର କରି ଜନସ୍ୱାସ୍ଥ୍ୟରେ ବ୍ୟବହାର କରିବା ସହ ଆମେରିକା ସରକାର ରାଜସ୍ୱ ଉପାର୍ଜନ କରୁଥିବା ବେଳେ ଜାପାନ ଏହି କଙ୍କଡ଼ାକୁ ଜାତୀୟ ସ୍ମାରକୀ ଘୋଷଣା କରିଛନ୍ତି । ହଂକଂ ତାଙ୍କ ସ୍କୁଲ ପାଠ୍ୟକ୍ରମରେ ସ୍ଥାନିତ କରିଥିବା ବେଳେ ଚୀନ ବିଭିନ୍ନ ଗବେଷଣାଗାର ଖୋଲି ଗବେଷଣା ଜାରି ରଖିବା ସହ ଏହାର ବଂଶ ବୃଦ୍ଧି ଓ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ସେ ତୁଳନାରେ ଓଡିଶା ସରକାର କିମ୍ବା ଭାରତ ସରକାର ଏହି ନୀଳରକ୍ତ କଙ୍କଡ଼ା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ‘କେବଳ ନୀଳରକ୍ତ କଙ୍କଡ଼ା ପାଇଁ’ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ବାଲେଶ୍ୱରର ନୋସି ଉକ୍ରଳା ମୁକ୍ତମଂଚରେ ନୋସି କଲଚ୍ୟୁରାଲ ଏକାଡେମୀ ଓ କନ୍ୟା ଅନମୋଲ ଦ୍ୱାରା ଆୟୋଜିତ ‘କେବଳ ନୀଳରକ୍ତ କଙ୍କଡ଼ା ପାଇଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିଳ୍ପୀ କେଶୁଦାସ ମଂଚ ଆହ୍ୱାନ ସହ ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ ଯୁବ ବିକାଶର ମୁଖ୍ୟ ଗୋବିନ୍ଦ ବଲ୍ଲଭ ଦଳାଇ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କବି ଡ. ରବି ନାରାୟଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୀଳରକ୍ତ କଙ୍କଡ଼ାକୁ ଜୈବ ଐତିହ୍ୟ ରୂପେ ଓଡିଶା ସରକାର ଘୋଷଣା କରାଯାଉ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ଫକୀରମୋହନ ବିଶ୍ୱବିଦ୍ୟାଳୟର ଜୈବ ବିଜ୍ଞାନ ପ୍ରଯୁକ୍ତି ବିଭାଗର ପ୍ରଫେସର ଡ. ବିଷ୍ଣୁ ପ୍ରସାଦ ଦାଶ, ସିଦେ୍ଧଶ୍ୱର ମହାବିଦ୍ୟାୟର ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଓ ଏବିସିର ମୁଖ୍ୟ ଡ. ସିଦ୍ଧାର୍ଥ ପତି ଆଲୋଚନାରେ ଭାଗ ନେଇ ଦେଶ ବିଦେଶରେ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଓ ଗବେଷଣା ପାଇଁ ସେଠାକାର ସରକାର ବିଶେଷ ଦାୟିତ୍ୱ ନେଉଥିବା ବେଳେ ଭାରତ ତଥା ଓଡିଶା ସରକାରଙ୍କ ଭୁମିକା ଅତି ନଗନ୍ୟ ବୋଲି କହିଥିଲେ । ସରକାର ଓ ପ୍ରଶାସନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ଅଛି ବୋଲି ଏକମତ ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରଥମ ଥର ପାଇଁ ନୀଳରକ୍ତ କଙ୍କଡ଼ା ଆଧାରିତ କବିତା ଆସରକୁ କବି ସୁଧାକର ସେଠୀ ସଂଯୋଜନା କରିଥିବା ବେଳେ ପ୍ରବୀର କୁମାର କମିଳା, ପ୍ରଣତି ମହାପାତ୍ର, ଦେବାଶିଷ ସିଂହ, ସୟ କୁମାର ପଣ୍ଡା, ରାଜେନ୍ଦ୍ର ଗିରି, ତୃପ୍ତୀରାଣୀ ପାତ୍ର, ସୌମ୍ୟରନ ପାଳ, ଗଗନ ସେଠୀ, ରିତ ପୃଷ୍ଠି, ପ୍ରଭାକର ସାହୁ ପ୍ରମୁଖ କବି ଓ କବୟତ୍ରୀ ଗଣ ଯୋଗ ଦେଇ ସ୍ୱରଚିତ କବିତାମାନ ପାଠ କରି ନିଜକୁ ଧନ୍ୟ ମନେ କରିଥିଲେ । ନୀଳରକ୍ତ କଙ୍କଡ଼ା ଆଧାରିତ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଥିଲା । ଏଥିରେ ପ୍ରୀତମ ନାୟକ ଏକ ଆକର୍ଷଣୀୟ ଇନଷ୍ଟାଲେସନ ଆର୍ଟ ପ୍ରଦର୍ଶନ କରି ଜନ ସାଧାରଣଙ୍କୁ ନୀଳରକ୍ତ କଙ୍କଡ଼ା ବିଷୟରେ ସଚେତନ କରିଥିବା ବେଳେ ଶିଳ୍ପୀ କେଶୁଦାସ, ଦେବାଶିଷ ପତି ପ୍ରମୁଖ ଚିତ୍ର ପ୍ରଦର୍ଶନ କରିଥିଲେ । ବିଶ୍ୱ ସାର୍କ ସଚେତନା ଦିବସ ଅବସରରେ ଏସୋସିଏସନ ଫର ବାଇୟୋ ଡାଇଭର୍ସିଟି କର୍ଭେସନ ତରଫରୁ ଚିତ୍ରକଳା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ବିନ୍ଦୁ ସୁକେଶିନୀ ଦାଶ, ବର୍ଣ୍ଣାଳୀ ଘଢେଇ, ନମିତା ମହନ୍ତ, ଗାୟତ୍ରୀ ମହାକୁଡ ଓ ଶିବୁ ସିଂ ଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ପୁରଷ୍କାର ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀ ଦେବାଷିଶ, ଜୀବନ, ଭାଗ୍ୟଶ୍ରୀ, କୁମାର ସୋନୁ, ମାନସ ପ୍ରମୁଖ ସୁନ୍ଦର ସଂଗୀତ ପରିବେଷଣ କରିଥିବା ବେଳେ କୌଶଲ୍ୟା ମଲ୍ଲିକ, କୁମାର ସୌମ୍ୟ, ସ୍ୱୟଂଶ୍ରୀ ଚାନ୍ଦ, ମାରାଣ୍ଡି ଭାଇମାନେ ପ୍ରମୁଖ ନୃତ୍ୟ ପରିବେଷଣ କରି ଆସରକୁ ସରସ ସୁନ୍ଦର କରିବା ପାଇଁ ବେଳେ ସମାଜସେବୀ ବିଜୟ କୁମାର ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।