ନିଷିଦ୍ଧାଞ୍ଚଳ ଓ ବଫର ଜୋନ୍‌ର ସମସ୍ତ ଗ୍ରାମର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ କଣ୍ଟାକ୍ଟ ଟ୍ରେସିଂ ପ୍ରସ୍ତୁତି ଆରମ୍ଭ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଘଡଘଡାପଲ୍ଲୀ ଗ୍ରାମ ଏବଂ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଶନିବାର ୪ ଜଣଙ୍କ ପଜିଟିଭ୍ ଚିହ୍ନଟ ପରେ ଉକ୍ତ ଅଞ୍ଚଳ ଗୁଡିକୁ ନିଷିଦ୍ଧାଞ୍ଚଳ ଏବଂ ଆଉ କେତକ ଅଂଚଳ ଗୁଡିକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି । ନିଷିଦ୍ଧାଞ୍ଚଳ ଏବଂ ବଫର୍ ଜୋନ୍ ଘୋଷିତ ଗ୍ରାମର ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, କଣ୍ଟାକ୍ଟ ଟ୍ରେସିଂ କରିବା ଲାଗି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ରଙ୍କ ତତ୍ତ୍ୱାବଧାନରେ ଉକ୍ତ ଗାଁ ଗୁଡିକର ସମସ୍ତ ଘରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ସ୍ୱାସ୍ଥ୍ୟ ଯାଞ୍ଚ ହୋଇଥିବା ଟିମ୍ ସହିତ ଆଜି ନିଜେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆଲୋଚନା କରି କେଉଁ ପ୍ରକ୍ରିୟାରେ ସମସ୍ତ ଗାଁର ସବୁ ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ପାରିବ ତାହା ନେଇ ଟିମ୍‌ର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ନିଷିଦ୍ଧାଞ୍ଚଳ ଘୋଷିତ ହୋଇଥିବା ଗାଁ ଘଡାଘଡାପଲ୍ଲୀ ଗ୍ରାମ ସହିତ ଏହି ଗାଁର ୩ କିଲୋମିଟର ମଧ୍ୟରେ ଥିବା ବଡପଦର, ବଣବୁଲାପଲ୍ଲୀ, ଚମାଖଣ୍ଡି ଛକ, କାଳିଆବାଲି, ନରସିଂହପୁର, ବ୍ରହ୍ମଣିଆପଲ୍ଲୀ,ଯଜ୍ଞଶାଳା, ସିନ୍ଦିରାପଲ୍ଲୀ, କାର୍ମେଲନଗର ଏବଂ ବଫର ଜୋନ୍‌ରେ ଥିବା ୩ ରୁ ୭ କିଲୋମିଟର ମଧ୍ୟରେ ଚମାଖଣ୍ଡି ଗାଁ, ସିତାରାମପୁର, ସିତାନଗର, ଏ.ତୋଟାପଲ୍ଲୀ, ଅନନ୍ତପୁର ଏବଂ ଆଇଆରଇ କଲୋନି ଥିବା ସମସ୍ତ ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ କଣ୍ଟାକ୍ଟ ଟ୍ରେିସଂ ହେବ । ସେହିପରି ନିଷିଦ୍ଧାଞ୍ଚଳ ଘୋଷିତ ହୋଇଥିବା ନରେନ୍ଦ୍ରପୁର ଗ୍ରାମର ଷ୍ଟେସନସାହି ଓ ଗୋପିନାଥସାହିର ୩ କିଲୋମିଟର ଦୂରତ୍ୱ ମଧ୍ୟରେ ଥିବା ନରେନ୍ଦ୍ରପୁର, ରଘୁନାଥପୁର, ଡିଫେନ୍ସି କଲୋନି ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନରେ ଥିବା ସାନକୁଶସ୍ଥଳୀ ଗ୍ରାମର ଥିବା ସମସ୍ତ ଘରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଏଥିସହିତ ବଫର୍ ଜୋନ୍ ଘୋଷିତ ହୋଇଥିବା ଗାଁର ୩ ରୁ ୭ କିଲୋମିଟର ଦୂରରେ ଥିବା ଲକ୍ଷ୍ମୀପୁର, ଜଗନ୍ନାଥପୁର, ଟାଙ୍ଗଣାପଲ୍ଲୀ, ନଗରଢିହ ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଶିତଳାପଲ୍ଲୀ, ଟାଟା କଲୋନି, ବଡକୁଶସ୍ଥଳୀ, ଆମ୍ବପୁଆ, ମାଣ୍ଡିଆପଲ୍ଲୀ ଗ୍ରାମର ସମସ୍ତ ଘରର ସଦସ୍ୟମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ପାଇଁ ସ୍ଥିର କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ବୈଠକରେ ଜିଲ୍ଲା ସଂକ୍ରମକ ରୋଗ ବିଶେଷଜ୍ଞ ସୁଶ୍ରୀ ସାବିତ୍ରୀ, ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର କାହ୍ନୁଚରଣ ପାତ୍ର, ନରେନ୍ଦ୍ରପୁର ମେଡିକାଲ ଅଫିସର ଡାକ୍ତର ସରୋଜବନ୍ଧୁ ମହାପାତ୍ର, ଆୟୁଷ ଡାକ୍ତର ରାମାନୁଜ ପଟ୍ଟନାୟକ, ମୁନିସପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସୁପରଭାଇଜର କୃଷ୍ଣଚନ୍ଦ୍ର ଜେନା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ