ବୁଢୀ ମା ଠାକୁରାଣୀ ପୀଠରେ ଶାରଦୀୟ ନବରାତ୍ରୀ ପୂଜା
ଆସିକା (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧିଲାଭ କରିଥିବା ପ୍ରମୁଖ ଶକ୍ତିପୀଠ ଗୁଡିକ ମଧ୍ୟରୁ ଆସିକା ବସଷ୍ଟାଣ୍ଡ କଳିଙ୍ଗ ରୋଡ ପାଶ୍ୱର୍ରେ ଥିବା ବୁଢୀ ମା ଠାକୁରାଣୀ ମନ୍ଦିର ଅନ୍ୟତମ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆଧ୍ୟାତ୍ମିକପ୍ରେମୀ ଯୋଗେନ୍ଦ୍ରନାଥ ପ୍ରଧାନ, ପ୍ରମୋଦ କୁମାର ଚୌଧୁରୀ, ବାବୁଲା ଦାଶ, କାଳିଆ ପଣ୍ଡା, ବିଟୁ ନାହାକ, ପୂର୍ଣ୍ଣଚନ୍ଦ୍ର ଗୌଡ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶକ୍ତିପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ନବରାତ୍ରୀ ପୂଜା ପ୍ରବଳ ଉତ୍ସାହ ଉଦ୍ଦୀପନାର ସହ ଆଧ୍ୟାତ୍ମିକ ପରିବେଶରେ ଚାଲିଥିବା ଦେଖିବାକୁ ମିଳୁଛି । ବୁଢୀ ମା ଠାକୁରାଣୀଙ୍କ ଅପାର ମହିମା ଯୋଗୁଁ ବହୁ ଦୂରଦୂରାନ୍ତରୁ ପ୍ରତିଦିନ ଏହି ପୀଠକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ପ୍ରତ୍ୟେକ ବର୍ଷ ସାର୍ବଜନୀନ ନବରାତ୍ର ପୂଜା ସମୟରେ ଭକ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥାଏ । ନବରାତ୍ରୀ ଅବସରରେ ମା’ ବୁଢୀ ଠାକୁରାଣୀଙ୍କ ପୀଠରେ ବ୍ରହ୍ମ ମୂହୁର୍ତ୍ତରେ ଆଳତୀ, ସ୍ନାନ, ମାର୍ଜଣା, ଷୋଡଶ ଉପଚାର, ପୂଜାର୍ଚ୍ଚନା ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ କରାଯାଉଥିଲା ବେଳେ ପ୍ରତ୍ୟହ ଚଣ୍ଡିପୀଠ, ହୋମଯଜ୍ଞ, ମହାପୂଜା ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରାଯାଉଥିବା ଦେଖିବାକୁ ମିଳିଛି । ବର୍ଷତମାମ ମନ୍ଦିରରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ନବରାତ୍ରୀ ପୂଜାର ଏକ ସ୍ୱତନ୍ତ୍ରତା ରହିଛି । ଏହି ନବରାତ୍ର ସମୟରେ ମା ବୁଢୀ ଠାକୁରାଣୀଙ୍କୁ ଦର୍ଶନକଲେ ଅଧିକ ପୂଣ୍ୟ ମିଳେ ବୋଲି ଲୋକକଥା ପ୍ରଚଳିତ ରହିଥିବାରୁ ଏହି ଶକ୍ତିପୀଠରେ ଦିନ ତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗି ରହୁଥିବା ଦେଖିବାକୁ ମିଳୁଛି । ନବରାତ୍ର ଅବସରରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶକ୍ତିପୀଠ ଗୁଡ଼ିକରେ ଚଣ୍ଡିପାଠ, ହୋମଯଜ୍ଞ ଓ ବିଶେଷ ପୂଜାର୍ଚ୍ଚନା ଚାଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଥିବା ବେଳେ ସାନ୍ଧ୍ୟ ଆଳତୀ ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅତି ମାତ୍ରାରେ ବୃଦ୍ଧି ପାଇଥାଏ । ଘଣ୍ଟଧ୍ୱନି, ହୁଳହୁଳି ଶବ୍ଦରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି । ଶାରଦୀୟ ନବରାତ୍ରୀ ପୂଜା ଅବସରରେ ବୁଢୀ ମା ଠାକୁରାଣୀଙ୍କ ପୀଠରେ ଆରମ୍ଭ ହୋଇଥିବା ଏହି ପୂଜାକୁ ବିଧିବିଧାନ ଅନୁଯାୟୀ ପାଳନ କରିବା ସକାଶେ ସୋରଡା ଅଞ୍ଚଳର ବିଦ୍ୱାନ ପଣ୍ଡିତ ଶିଶିର ଦାଶ ଏବଂ ଶେରଗଡ ନିକଟସ୍ଥ ପଦ୍ମନାଭପୁର ଗ୍ରାମର ବିଦ୍ୱାନ ପଣ୍ଡିତ ଗଗନ ବିହାରୀ ହୋତା, ମନ୍ଦିର ପୂଜକ ବିନୋଦ ରଣା ପ୍ରମୁଖ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଆସିକାର ଆରାଧ୍ୟ ଦେବୀ ବୁଢୀ ମା ଠାକୁରାଣୀଙ୍କ ମନ୍ଦିରରେ ଗତ ୧୧ ତାରିଖ ଠାରୁ ଆରମ୍ଭ ହୋଇଥିବା ନବରାତ୍ର ପୂଜାର ମଙ୍ଗଳବାର ତୃତୀୟ ଦିବସରେ କର୍ତ୍ତା ରୂପେ ଆଧ୍ୟାତ୍ମିକପ୍ରେମୀ ଶିବଶଙ୍କର ପଟ୍ଟନାୟକ ଓ ତାଙ୍କ ପତ୍ନୀ ଅନିତା ପଟ୍ଟନାୟକ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିଲେ । ଆସ୍ଥା ଓ ନିଷ୍ଠାର ପ୍ରତୀକ ହେଉଛନ୍ତି କଲ୍ୟାଣମୟୀ ବୁଢୀ ମା ଠାକୁରାଣୀ । ଆସିକା ସହରର କଳିଙ୍ଗରୋଡର ମୁଖ୍ୟ ପାଶ୍ୱର୍ରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ବୁଢୀ ମା ଠାକୁରାଣୀଙ୍କ ଅଲୌକିକ ମହିମାକୁ ନେଇ ରହିଛି ଅନେକ କିମ୍ବଦନ୍ତୀ ଓ ଲୋକକଥା । ନବରାତ୍ରୀ ସମୟରେ ବୁଢୀ ମା ଠାକୁରାଣୀଙ୍କ ପୀଠରେ ଅଖଣ୍ଡ ଦୀପ ଜାଳି ମାନସିକ ପୂରଣ ପାଇଁ ପୂଜାର୍ଚ୍ଚନାରେ ଶ୍ରଦ୍ଧାଳୁ ଭକ୍ତ ନିମଗ୍ନ ରହୁଥିବା ଦେଖିବାକୁ ମିଳୁଛି । ନବରାତ୍ର ସମୟରେ ଅଖଣ୍ଡ ଦୀପ ସ୍ଥାପନ କରି ବୁଢୀ ମା ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କଲେ ସକଳ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଆସିକା ଅଞ୍ଚଳର ଲୋକଙ୍କ ବିଶ୍ୱାସ ରହିଛି । ଦିନତମାମ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି ।


