ଭୁବନେଶ୍ବରରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇଲେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଛି। ସେ ମଧ୍ୟରୁ ୫୪ ଜଣ ସକ୍ରିୟ ଆକ୍ରାନ୍ତ ବୋଲି ସୂଚନା ରହିଛି। ଆଜି ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ପୁରୁଷ ହୋଇଥିବା ବେ‌ଳେ ଜଣେ ମହିଳା ଅଛନ୍ତି। ସେଥିମଧ୍ୟରୁ ୩ ଜଣ କ୍ବାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେ‌ଳେ ୨ ଜଣ ସ୍ଥାନୀୟ ଉତ୍ସରୁ ସଂକ୍ରମିତ ହୋଇଥିବା ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ୪ ପୁରୁଷ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ବାହାରୁ ଆସି କ୍ବାରେଣ୍ଟିନରେ ଥିବା ବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ସଂକ୍ରମିତ। ଜଣେ ପୁରୁଷ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର ଓ ସେ କିଛିଦିନ ତଳେ ନୂଆଦିଲ୍ଲୀରୁ ଫେରିଥିଲେ। ତାଙ୍କର ବୟସ ୩୬ ବର୍ଷ । ସେହିପରି ଅନ୍ୟ ଜଣେ ୨୨ବର୍ଷୀୟ ପୁରୁଷ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା। ସେ ଜୟଦେବ ବିହାର ନିରଙ୍କାରୀ ନଗର ବାସିନ୍ଦା। ଡୁମଡୁମା ହାଉସିଂ ବୋର୍ଡ କଲୋନିରୁ ଚିହ୍ନଟ ପୁରୁଷ ଆକ୍ରାନ୍ତ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେହିଭଳି ଅନ୍ୟ ଜଣେ ଆକ୍ରାନ୍ତ ହୋଉଛନ୍ତି ୨୪ ବର୍ଷୀୟ ପୁରୁଷ। ସେ ଭୁବନେଶ୍ବରରେ କେନ୍ଦ୍ର ସରକାରଙ୍କ ପରିଚାଳିତ ଏକ ହସ୍ପିଟାଲରେ ମେଡିକାଲ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ତେବେ ସେ ଭୁବନେଶ୍ୱରସ୍ଥିତ ଏମ୍ସର କର୍ମଚାରୀ ବୋଲି ଜଣାପଡ଼ିଛି। ଗତ ୧୫ ତାରିଖରେ ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ। ଆଜି ଚିହ୍ନଟ ଏକମାତ୍ର କରୋନା ଆକ୍ରାନ୍ତ ମହିଳା ପଟିଆ ଅଞ୍ଚଳରେ ବସବାସ କରନ୍ତି। ପୂର୍ବରୁ ଚିହ୍ନଟ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଉକ୍ତ ମହିଳା ଜଣକ ଆସିଥିଲେ ବୋଲି ସୂଚନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ