ଗୁଣପୁରରେ ରଥଯାତ୍ରା ଅନୁଷ୍ଠିତ

ଗୁଣୁପୁର,(ୱାଇଏନଏସ): ଦକ୍ଷିଣ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ଭକ୍ତିଭାବର ଅନନ୍ୟ ପ୍ରତୀକ ଗୁଣୁପୁର ରଥଯାତ୍ରାରେ ଚଳିତ ବର୍ଷ ବିପୁଳ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ଆଡମ୍ବରପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳାରେ ସମ୍ପନ ହୋଇଛି। ଶତାବ୍ଦୀ ପୁରୁଣା ଏହି ପରମ୍ପରାକୁ ଦେଖିବା ଓ ମହାପ୍ରଭୁଙ୍କ ଦର୍ଶନ ସହ ରଥ ଟାଣିବା ପାଇଁ ଗୁଣୁପୁର ସହର ସମେତ ଆଖପାଖ ଅଞ୍ଚଳରୁ ଅଗଣିତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା। ମେଘୁଆ ପାଗ ଭକ୍ତଙ୍କ ଉତ୍ସାହକୁ ଆହୁରି ବଢ଼ାଇଥିଲା। ଗୁଣୁପୁର ରଥଯାତ୍ରାର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଠାରେ ଦୁଇଟି ଜଗନ୍ନାଥ ମନ୍ଦିରର ବିଗ୍ରହଙ୍କ ପାଇଁ ପୃଥକ ପୃଥକ ଦୁଇଟି ରଥ ନିର୍ମାଣ କରାଯାଇ ରଥଟଣା ନୀତି ସମ୍ପନ୍ନ କରାଯାଏ। ରାଜପୁରୋହିତଙ୍କ ଦ୍ୱାରା ବିଧିବଦ୍ଧ ନୀତିକାନ୍ତି ପରେ ଶ୍ରୀଜିଉଙ୍କୁ ପହଣ୍ଡି କରାଯାଇ ସଂକୀର୍ତ୍ତନର ଗଗନବିଦାରୀ ଧ୍ୱନି ମଧ୍ୟରେ ରଥାରୂଢ଼ କରାଯାଇଥିଲା। ଅପରାହ୍ନରେ ପ୍ରଥମେ ବଡ଼ରଥ ଟଣାଯାଇଥିବା ବେଳେ ହଜାର ହଜାର ଭକ୍ତ ରସି ଧରି ରଥ ଟାଣିଥିଲେ। ପରେ ସାନ ଜଗନ୍ନାଥ ମନ୍ଦିରର ବିଗ୍ରହଙ୍କୁ ନୀତିକାନ୍ତି ଅନୁଯାୟୀ ରଥରେ ବିରାଜମାନ କରାଯାଇଥିଲା। ଦୀର୍ଘବର୍ଷର ପରମ୍ପରା ଅନୁଯାୟୀ ସାନ ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥିଲେ, ଯାହା ଗୁଣୁପୁର ରଥଯାତ୍ରାର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି। ସାନ ରଥ ଟଣା ସମୟରେ ପ୍ରଥମ କରି ଗୁଣପୁର ରଥଯାତ୍ରାରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସପି ଅଧୀକ୍ଷକ ରାଜ ପ୍ରସାଦ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଏଡିଏମ ନବୀନ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲିପ୍ ଓ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଜିଆଇଇଟି ବିଶ୍ୱବିଦ୍ୟାଳୟର ଉପସଭାପତି ଚନ୍ଦ୍ରଧ୍ୱଜ ପଣ୍ଡା,ପୋୖର ଅଧ୍ୟକ୍ଷା ମମତା ଗୌଡ଼ ମଧ୍ୟ ରଥ ଟାଣିଥିଲେ। ଦୁଇଟି ରଥ ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ପରମ୍ପରା ଅନୁଯାୟୀ ମୁଖ୍ୟ ମହାରଣ ଗାଙ୍ଗାରାଜୁ ଶବରଙ୍କ ନେତୃତ୍ୱରେ ମହାରଣାମାନେ ରଥ ନିର୍ମାଣ କରିବା ସହ ରଥଟଣା ସମୟରେ ସେବାରେ ନିୟୋଜିତ ରହିଥିଲେ। ରଙ୍ଗୀନ କପଡ଼ା, ଧ୍ୱଜା, ପତାକା ଓ ଫୁଲମାଳରେ ସୁସଜ୍ଜିତ ରଥ ଭକ୍ତଙ୍କୁ ଆକର୍ଷିତ କରିଥିଲା। ଭକ୍ତଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ଦେବୋତ୍ତର ବିଭାଗ, ଉପଖଣ୍ଡ ପ୍ରଶାସନ ଓ ପୋଲିସ ପକ୍ଷରୁ କଢ଼ା ସୁରକ୍ଷା ବ୍ ବ୍ୟବସ୍ଥା କରାଯାଇଥିଲା। ବାଇପାସ ରାସ୍ତା, ମୁତ୍ୟାଲୁ ମା ନଗର, ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଓ ଟାଉନହଲ ଛକରେ ବେରିକେଡ୍ କରି ଯାନବାହାନ ଚଳାଚଳ ନିୟନ୍ତ୍ରଣ କରାଯାଇଥିଲା। ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟ ଶିବିର, ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଓ ସଫେଇ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ରଥଯାତ୍ରା ଅବସରରେ ଆୟୋଜିତ ମୀନାବଜାର ମଧ୍ୟ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ବିଭିନ୍ନ ଖେଳନା, ଘରୋଇ ସାମଗ୍ରୀ, ମିଠା, ହସ୍ତଶିଳ୍ପ ଓ ଖାଦ୍ୟ ଦୋକାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସିସିଟିଭି ବ୍ୟବସ୍ଥା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲିପ୍ ଓ ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ଲୀଳାବତୀ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସମଗ୍ର ରଥଟଣା ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଗୁଣପୁର ଏସଡିପିଓ ବାବୁଲି ନାୟକ, ଆଇଆଇସି କେକେବିକେ କହଁରଙ୍କ ସମେତ ତିନି ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ରହି ତଦାରଖ କରିଥିଲେ। ତେବେ ବଡ଼ରଥ ଟଣା ସମୟରେ ବେରିକେଡ୍ ଭିତରକୁ ପାସ୍‌ ନଥିବା କିଛି ଲୋକ ପ୍ରବେଶ କରିବାରୁ କିଛି ସମୟ ପାଇଁ ଭିଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ଓ ତହସିଲଦାର ଶ୍ରୀମତି ଆଚାର୍ଜି ନିଜେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏଥିସହ ଅଧିକ ସଂଖ୍ୟାରେ ଭିଆଇପି ପାସ୍ ପ୍ରଦାନ ହୋଇଥିବା ନେଇ ଅଭିଯୋଗ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ