ରଥଯାତ୍ରା ପାଳିତ:ଛେରା ପହରା କଲେ ବିଧାୟକ ବିଶ୍ଵ ରଞ୍ଜନ
ବରୀ,(ଚୈତନ୍ୟ ଜେନା) : ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ହଳଦିବସନ୍ତ ଠାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ସକାଳୁ ଆଳତି, ବାଳଭୋଗ ସହ ସାମୁହିକ ଦୀପଦାନ ହୋଇଥିଲା ପରେ ରଥ ସଂସ୍କାର ଓ ଝରାପୂଜା ସହ ଦେବଆବାହନ କରାଯାଇଥିଲା। ଭକ୍ତମାନେ ପହଣ୍ଡି ବିଜେ କରାଇ ତିନି ଦିଅଁଙ୍କୁ ରଥ ଉପରକୁ ଆଣିଥିଲେ । ଆଜ୍ଞାମାଳ ପ୍ରାପ୍ତି ପରେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲିକ ରାଜ ବେଶ ପରିଧାନ ପୂର୍ବକ ପଟୁଆରରେ ଆସି ରଥ ଉପରେ ଛେରା ପହରା ଦେଇଥିଲେ । ଏହାପରେ ବ୍ୟବସ୍ଥା ଅନୁଯାଇ ଚାରମାଳ ଫିଟାଯାଇ ଅଶ୍ଵ ଲଗାଯାଇ ରଥ ଟଣା ଯାଇଥିଲା । ରଥଯାତ୍ରା ପାଇଁ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଭକ୍ତ ଯୋଗ ଦେଇଥିଲେ । ଭିଡକୁ ଦୃଷ୍ଟିରେ ରଖି ବରୀ ଥାନା ତରଫରୁ ପୁଲିସ ମୁତୟନ କରଯାଇଥିଲା। ହଳଦି ବସନ୍ତ ଜଗନ୍ନାଥ ପୂଜା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ରଥ ଟଣାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ଦିଲ୍ଲିପ କୁମାର ମହାନ୍ତି, ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ବରୀ ବିଜେଡ଼ି ସଭାପତି କେଦାର ଚନ୍ଦ୍ର ସାମଲ, ପ୍ରସନ୍ନ କୁମାର ସାମଲ, ହିମାଂଶୁ ଦାଶ ପ୍ରମୂଖ ରଥ ଟାଣିଥିଲେ।


