ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ଗୋଲାପ ଚାଷ କ୍ଷେତ୍ରକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ବ୍ଲକର ଭିକାରିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ନୂଆପଲ୍ଲୀ ଠାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନିଜସ୍ୱ ପ୍ରଚେଷ୍ଟାରେ କରିଥିବା ଗୋଲାପ ଚାଷ କ୍ଷେତ୍ରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରି ସେମାନଙ୍କୁ ଉତ୍ସାହିତ କରିଛନ୍ତି । ମା ଗ୍ରାମଦେବତୀ, ମା ଭୈରବୀ, ମା ସିଂହାସିନୀ, ମା ବାଳକୁମାରୀ ଓ ଓମ୍ ସାଇବାବା ପ୍ରମୁଖ ୫ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ହୋଇଥିବା ଏହି ଗୋଲାପ ଚାଷ ପ୍ରାୟ ୩ ଭରଣ ପରିମିତ କ୍ଷେତ୍ରରେ ବାଉଁଶ ଦ୍ୱାରା ଆଛାଦିତ ସବୁଜ ଗୃହରେ କରାଯାଇଛି । ଜାତୀୟ ଉଦ୍ୟାନ କୃଷିମିସନ୍ ଆର୍ଥିକ ସହାୟତା ଓ ଉଦ୍ୟାନ କୃଷି ବିଭାଗ ବୈଷୟିକ ସହାୟତାରେ ଏହା କାର୍ଯ୍ୟକାରୀ ହୋଇଛି । ଏଥିରେ ପ୍ରାୟ ୩୨୦୦ ବିଭିନ୍ନ କିସମର ଗୋଲାପ ରୋପଣ କରାଯାଇଛି । ୫ ମାସ ପରେ ଏହାର ବ୍ୟବସାୟିକ ଭିତ୍ତିରେ ଫୁଲ ଉତ୍ପାଦନ ହେବେ । ବାର୍ଷିକ ପ୍ରାୟ ୨ ଲକ୍ଷ ପର୍ଯ୍ୟନ୍ତ ଆୟ ହୋଇପାରିବ ବୋଲି ଆକଳନ କରାଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠୀ ଗୋଲାପ ଫୁଲ ଚାଷ କରିବା ଓଡିଶାର ଏହା ପ୍ରଥମ । ଏହାକୁ ପ୍ରଦର୍ଶନୀ କ୍ଷେତ୍ର ଭାବରେ ଉପଯୋଗ କରି ଅନ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ପାଇଁ ଜିଲ୍ଲାପାଳ ଉଧ୍ୟାନ କୃଷି ଉପନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ସାନରାମଚନ୍ଦ୍ରପୁର ପଞ୍ଚାୟତ ଓ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ବୁରୁଡି, ମଠମୁକୁନ୍ଦପୁର ଓ ଜାହାମି ଗ୍ରାମରେ ହୋଇଥିବା ଉନ୍ନତ କିସମର ଡାଳିମ୍ବ ଚାଷ ବୁଲି ଦେଖିଥିଲେ । ଜାତୀୟ ଉଦ୍ୟାନ କୃଷିମିସନ୍ ଓ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସହାୟତାରେ ପ୍ରାୟ ୧୫ ଏକର ଜମିରେ ଏହା ଚାଷ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଏପରି ଡାଳିମ୍ବ ଚାଷ ପ୍ରଥମ । ଏଥିରେ ୬ ଜଣ ଚାଷୀ ସଂପୃକ୍ତ । ପ୍ରତ୍ୟେକ ଏଳରରୁ ବାର୍ଷିକ ୨ ଲକ୍ଷ ପର୍ଯ୍ୟନ୍ତ ଆୟ ହୋଇପାରିବ । ଚଳିତ ବର୍ଷ ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ଏହି ଚାଷ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରବେସନାରୀ ଆଇଏଏସ୍ ଅଫିସର କିର୍ତୀ ଭାସନ ଭି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଉଦ୍ୟାନ ବିଭାଗର କୃଷି ଉପନିର୍ଦ୍ଦେଶକ ଦିଗାମ୍ବର ପଣ୍ଡା, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ ଦାଶ, ଜୀବିକା ମିସନ୍ର ଗଞ୍ଜାମ ଏପିଡି ନଳିନୀକାନ୍ତ ମିଶ୍ର, ଓଡିଶା ଜୀବିକା ମିସନ୍ ଜିଲ୍ଲା ସଂଯୋଜକ ନବୀନ ସେନାପତି, ବ୍ଲକ ସଂଯୋଜିକା ମାନିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ