ଜିଲାରେ ୭ଜଣଙ୍କର ମୁଣ୍ଡ ନେଲାଣି କରୋନା
ଛତ୍ରପୁର (ଓ୍ବାଇଏନ୍ଏସ୍) : ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପୁଲିସ୍ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ହେଉଥିବା ଦେଖିବାକୁ ମିଳିଛି । ସେହିଧାରାରେ ପୁଣି ଗଞ୍ଜାମ ଜିଲ୍ଲାର ୧୦ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ପୋଲସରା ବ୍ଲକର ହୋଇଥିବା ବେଳେ ଚିକିଟିର ୨ଜଣ, ଛତ୍ରପୁର, ଗଞ୍ଜାମ, କବିସୂର୍ଯ୍ୟନଗର, ଭଞ୍ଜନଗର ଓ ରଙ୍ଗେଇଲୁଣ୍ଡା ବ୍ଲକର ଜଣେ ଲେଖାଏଁ କରୋନା ଯୋଦ୍ଧା ରହିଥିବା ଜଣାପଡିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟର୍ ଯୋଗେ ରବିବାର ସୂଚନା ଦେଇଛନ୍ତି । ଏମାନଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ପୁଣି ନୂଆ ୩୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ କରୋନା ସଂକ୍ରମିତମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଫଳରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ୮୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ୍ ୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୮ ରହିଛି । ଅପରପକ୍ଷରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଜଣାପଡିଛି ।