ସମ୍ଭାବ୍ୟ ବାତ୍ୟା ଓ ଅତିବର୍ଷା ଆଶଙ୍କାରେ ଚିନ୍ତାରେ ଚାଷୀ

ଛତ୍ରପୁର, (ଓ୍ବାଇଏନଏସ): ସମ୍ଭାବ୍ୟ ବାତ୍ୟା ଓ ଅତିବର୍ଷାକୁ ନେଇ ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ମନରେ ଛନକା ପଶିଛି। ବର୍ଷକର ପରିଶ୍ରମ ଓ ଖର୍ଚ୍ଚ ପରେ ଅମଳ ସମୟ ଆସିଥିବା ବେଳେ ପ୍ରାକୃତିକ ବିପତ୍ତି ଯୋଗୁଁ ଫସଲ ନଷ୍ଟ ହୋଇଯିବା ଆଶଙ୍କା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ମୁଖ୍ୟ ଫସଲ ହେଉଛି ଧାନ। ଧାନ ବିକ୍ରି କରି ଚାଷୀ ପରିବାରର ଦୈନନ୍ଦିନ ଖର୍ଚ୍ଚଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ା, ଘରର ଭଲମନ୍ଦ ଓ କୃଷି ଋଣ ପରିଶୋଧ କରିଥାନ୍ତି। ଏପରି ସମୟରେ ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କା ଚାଷୀଙ୍କୁ ଭୟଭୀତ କରିଛି। ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଅନେକ ଚାଷଜମିରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଚାଷୀ ଏପର୍ଯ୍ୟନ୍ତ କ୍ଷତିପୂରଣ ପାଇନଥିବା ଅଭିଯୋଗ କରୁଛନ୍ତି। ଏବେ ପୁଣି ବାତ୍ୟା ଓ ଅଧିକ ବର୍ଷା ହେଲେ ଚାଷୀଙ୍କ ଉପରେ ଦୁଇଗୁଣ ବୋଝ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବର୍ତ୍ତମାନ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଧାନ ଫସଲ ଗର୍ଭ ଅବସ୍ଥାରେ ରହିଛି। ଅନେକ ଜମିରେ ଧାନ ପୁଡ଼ା ଧରିଛି। ଏହି ସମୟରେ ଅତ୍ୟଧିକ ବର୍ଷା ହେଲେ ଧାନର ଗର୍ଭ ନଷ୍ଟ ହୋଇ ଅଗାଡ଼ି ହେବାର ଆଶଙ୍କା ରହିଛି। ଫଳରେ ଧାନ ଅମଳ ହ୍ରାସ ପାଇବା ସହ ଚାଷୀଙ୍କ ବର୍ଷକର ଆଶା ଧୂଳିସାତ୍ ହୋଇପାରେ। ଏଥିସହ ପନିପରିବା ଓ ଫୁଲ ଚାଷରେ ମଧ୍ୟ ବ୍ୟାପକ କ୍ଷତି ହେବା ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି। ଚାଷୀନେତା ସିମାଞ୍ଚଳ ନାହାକ କହିଛନ୍ତି ଯେ,ଚାଷ ପାଇଁ ନଗୁତି ଖର୍ଚ୍ଚ କରିଥିବା ବେଳେ ଏବେ ଫସଲ ଅମଳ କରି ଘରକୁ ଆଣିବାର ସମୟ ଆସିଛି। ଏହି ସମୟରେ ବାତ୍ୟା ଓ ଅତିବର୍ଷା ହେଲେ ସବୁକିଛି ନଷ୍ଟ ହୋଇଯିବା ସମ୍ଭାବନା ରହିଛି। ଫସଲ ନଷ୍ଟ ହେଲେ କୃଷି ଋଣ କିପରି ପରିଶୋଧ କରିବେ, ତାହାକୁ ନେଇ ମଧ୍ୟ ସେମାନେଚାଷୀ ମାନେ ଚିନ୍ତିତ ଅଛନ୍ତି । ଏହି ପରିସ୍ଥିତିରେ ଚାଷୀଙ୍କ ଫସଲର କ୍ଷତି କିପରି କମ୍ ହେବ, ସେଥିପାଇଁ ଗାଁ ଗାଁକୁ ଯାଇ ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଓ ସହଯୋଗ ଯୋଗାଇବାକୁ କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଜିଲ୍ଲାର ସମସ୍ତ ଚାଷୀଙ୍କୁ ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହିତ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ମହାସଭା ପକ୍ଷରୁ ଆହ୍ୱାନ ଦିଆଯାଇଛି। ଫସଲର ସୁରକ୍ଷା ଓ କ୍ଷୟକ୍ଷତି କମାଇବା ପାଇଁ ବିଭାଗୀୟ ଅଧିକାରୀମାନେ ଚାଷୀଙ୍କ ସହ ରହି ଆବଶ୍ୟକ ପଦକ୍ଷେପ ନେବା ଦରକାର ବୋଲି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ କୁହାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ