ଲୋକେ ସାବୁନ, ବିସ୍କୁଟ ଖର୍ଚ୍ଚ କମାଇଲେଣି
ତେଲ, ସାବୁନ ଓ ବିସ୍କୁଟ ଆଦିରେ ଲୋକମାନେ ଖର୍ଚ୍ଚ କମାଇଦେଲେଣି । ପୂର୍ବରୁ ଦେଶରେ ଯେତିକି ସାବୁନ ବିକ୍ରି ହେଉଥିଲା, ଏବେ ତା ଠାରୁ ଯଥେଷ୍ଟ କମ ପରିମାଣର ସାବୁନ ବିକ୍ରି ହେଉଛି । କିଛି ମାସ ହେଲାଣି ଦେଶରେ ଏଭଳି ସ୍ଥିତି ଲାଗି ରହିଛି । ଏହାକୁ ଅର୍ଥନୀତିରେ ମାନ୍ଦାବସ୍ଥାରେ ସଙ୍କେତ ବୋଲି ବିବେଚନା କରାଯାଉଛି । ଗବେଷଣା ସଂସ୍ଥା ନିଲସନ ପକ୍ଷରୁ କୁହାଯାଇଛି ଯେ ସହରାଞ୍ଚଳରେ ଲୋକମାନେ ନିଜ ଖର୍ଚ୍ଚ ମକାଇ ଦେଇଛନ୍ତି । ଗ୍ରାମାଞ୍ଚଳରେ ବିଭିନ୍ନ ସାମଗ୍ରୀର ବିକ୍ରି ବଢ଼ୁନାହିଁ । ଏହା ତେଲ ସାବୁନ ବିକ୍ରି କରୁଥିବା ଏଫଏମସିଜି କମ୍ପାନୀଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି । ଗତ ତିନିଟି ତ୍ରୟମାସର ସ୍ଥିତି ଏଇଆ । ଖାଦ୍ୟପଦାର୍ଥ, ପର୍ସନାଲ କେୟାର ଓ ହୋମ କେୟାର ସାମଗ୍ରୀର ବିକ୍ରି କମିଛି । ଲୁଣିଆ ସ୍ନାକ୍ସଠାରୁ ଆରମ୍ଭ କରି ବିସ୍କୁଟ ମସଲା, ସାବୁନ ଏବଂ ପ୍ୟାକେଟରେ ମିଳୁଥିବା ଚା ପର୍ଯ୍ୟନ୍ତ ସବୁ କିଛିର ବିକ୍ରି କମିଛି । କମ୍ପାନୀଗୁଡ଼ିକ ସେମାନଙ୍କ ମୋଟ ବିକ୍ରିର ୩୭% ଗ୍ରାମାଞ୍ଚଳରେ କରୁଛନ୍ତି । ସାଧାରଣତଃ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ବଜାରରେ ବିକ୍ରି ୩.୫ % ଅଧିକ ହାରରେ ହୋଇଥାଏ । ସୁଲଭ ଦାମ୍ରେ ଜିନିଷ ମିଳିବା, ଠିକ ସମୟରେ ଉପଲବ୍ଧ ହେବା ଓ ଗ୍ରାହକଙ୍କ ଚାହିଦା ଥିବାରୁ ଗ୍ରାମାଞ୍ଚଳରେ ତେଲ, ସାବୁନ ଭଳି ଜିନିଷ ଅଧିକ ବିକ୍ରି ହୋଇଥାଏ । କିନ୍ତୁ ଗତ କିଛି ମାସ ହେଲା ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ବିକ୍ରି ହ୍ରାସ ପାଇଛି । ଏଥିଯୋଗୁଁ ସହରଞ୍ଚାଳ ଏବଂ ଗ୍ରାମାଞ୍ଚଳ ବଜାର ମଧ୍ୟରେ ବିକ୍ରି ଅଭିବୃଦ୍ଧି ପ୍ରାୟ ସମାନ ସ୍ତରକୁ ଆସିଯାଇଛି । ହରିଆନା, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ ଏଫଏମସିଜି ସାମଗ୍ରୀ ବିକ୍ରି ମଧ୍ୟ ବହୁତ ତଳକୁ ଖସିଯାଇଛି । ଏଫଏମସିଜି କମ୍ପାନୀଗୁଡ଼ିକର ସମସ୍ୟା ଚଳିତ ବର୍ଷ ପ୍ରଥମ ମାସରୁ ଆରମ୍ଭ ହୋଇଯାଇଥିଲା । ଲୋକସଭା ନିର୍ବାଚନ ଥିବାରୁ ନଗଦ ଟଙ୍କାରେ ଅଧିକ କାରବାର କରିବାକୁ ବିତରକମାନେ କୁଣ୍ଠା ପ୍ରକାଶ କରିଥିଲେ । ଏଫଏମସିଜି ଶିଳ୍ପରେ କିଣାବିକା ନଗଦ ଟଙ୍କାରେ ଅଧିକ ହୋଇଥାଏ । ବିତରକମାନେ ଅଧିକ ଜିନିଷ ରଖିବା କମାଇ ଦେବାରୁ କମ୍ପାନୀଗୁଡ଼ିକର ବିକ୍ରି ମଧ୍ୟ କମିି ଯାଇଥିଲା ।


