ଦଲାଲଙ୍କ କବ୍ଚାରେ ରନ୍ଧନ ଗ୍ୟାସ୍ ସେବା: ହୋମ୍ ଡେଲିଭରି ବାବଦ ନିଆଯାଉଛି ଅଧିକ ଅର୍ଥ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକରେ ଦଲାଲଙ୍କ ମାଧ୍ୟମରେ ରନ୍ଧନ ଗ୍ୟାସ୍ ସେବା ପରିଚାଳିତ ହେଉଥିବା ଦେଖାଯାଉଛି । ଉପଭୋକ୍ତା ମାନଙ୍କ ଠାରୁ ହୋମ୍ ଡେଲିଭରି ବାବଦ ଅଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହୋଇଛି । ଏପରିସ୍ଥଳେ ଜିଲ୍ଲା ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଦେଖାଯାଇଛି । ପ୍ରକାଶ ଯେ, କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରତ୍ୟେକ ଉପଭୋକ୍ତାଙ୍କ ପାଖରେ ରନ୍ଧନ ଗ୍ୟାସ୍ ସେବା ପହଞ୍ଚାଇବାର ବ୍ୟବସ୍ଥା କରିଛନ୍ତି । ମାତ୍ର ଗ୍ୟାସ୍ ସେବାରେ ନିୟୋଜିତ କିିଛି ଦଲାଲ ଗରିବ ଉପଭୋକ୍ତାଙ୍କ ଠାରୁ ହୋମ ଡେଲିଭରି ବାବଦ ସିଲିଣ୍ଡର ପିଛା ୭୦ରୁ ୧୦୦ ଟଙ୍କା ଲୁଟି ନେଉଥିବା ଅଭିଯୋଗ ହୋଇଛି । ଏସଂପକରେ କିଛି ଉପଭୋକ୍ତା ପ୍ରଶାସନ ଠାରେ ଅଭିଯୋଗ କରିଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଜଣାଯାଇଛି । କରୋନା ଲକ୍ ଡାଉନ୍ ସମୟରେ ଉପଭୋକ୍ତା ମାନେ ଗ୍ୟାସ୍ ଏଜେନ୍ସି କାଉଁଣ୍ଟରରେ ଧାଡି ଲଗାଇ ଗ୍ୟାସ୍ ନେଉଥିବା ବେଳେ ଆଉ କିଛି ଉପଭୋକ୍ତାଙ୍କୁ ଦଲାଲ ମାନଙ୍କ ମାଧ୍ୟମରେ ପ୍ରତି ପଞ୍ଚାୟତରେ ଗ୍ୟାସ୍ ଯୋଗାଣ କରାଯାଉଛି । ଫଳରେ ଦଲାଲ ମାନେ ଗରିବ ଖଟିଖିଆ ଲୋକ ମାନଙ୍କ ଠାରୁ ଅର୍ଥ ଶୋଷଣ କରୁଥିବାର ଦେଖାଯାଇଛି । ଗ୍ୟାସ୍ ଏଜେନ୍ସି ମାନେ ହୋମ୍ ଡେଲିଭରି ବାବଦ ଅର୍ଥ ଉପଭୋକ୍ତା ମାନଙ୍କ ଠାରୁ ନେଉଥିଲେ ମଧ୍ୟ ହୋମ୍ ଡେଲିଭରି ଦେଉନାହାନ୍ତି । ଅପରପକ୍ଷେ ପ୍ରତି ପଞ୍ଚାୟତରେ ଦଲାଲ ମାନେ ଉପଭୋକ୍ତା ମାନଙ୍କୁ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦେବା ବେଳେ ପୁନଶ୍ଚ ହୋମ ଡେଲିଭରି ବାବଦ ଅଧିକ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହୋଇଛି । ଯାହାକି ଗଣିଜାଙ୍ଗ, ଓଡଙ୍ଗ, ରାମକୃଷ୍ଣପୁର ସମେତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଦେଖିବାକୁ ମିଳିଛି । ଦଲାଲ ମାନଙ୍କର ଏତାଦୃଶ୍ୟ କାର୍ଯ୍ୟରେ ସାଧାରଣ ଉପଭୋକ୍ତା ମାନେ ଶୋଷଣର ଶୀକାର ହେଉଛନ୍ତି । ଜିଲ୍ଲା ଯୋଗାଣ ବିଭାଗ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କଲେ ଦଲାଲରାଜ ବନ୍ଦ ହୋଇପାରନ୍ତା ବୋଲି ବୁଦ୍ଧିଜୀବି ମାନେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।


