କରୋନା: ନେଇପାରେ ପୁଣି ୩୪ କୋଟି ଚାକିରି
ନୂଆଦିଲ୍ଲୀ: ବର୍ଷ ଦ୍ୱିତୀୟାର୍ଦ୍ଧରେ କରୋନାର ଦ୍ୱିତୀୟ ଲହରି ଆସିଲେ ଏହାର ପ୍ରଭାବ ବିଶ୍ୱ ନିଯୁକ୍ତି ବଜାର ଉପରେ ଭୟଙ୍କର ରହିବ । ୩୪ କୋଟି ପୂର୍ଣ୍ଣକାଳୀନ ଚାକିରି ଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଅନ୍ତର୍ଜାତୀୟ ଶ୍ରମ ସଂସ୍ଥାନ (ଆଇଏଲଓ) । ଆଇଏଲଓ ମନିଟରର ପଞ୍ଜମ ସଂସ୍କରଣ ‘କୋଭିଡ-୧୯ ଆଣ୍ଡ ଦ ୱାଲର୍ଡ ଅଫ ୱାର୍କ’ ଅନୁସାରେ ବର୍ଷର ଅବଶିଷ୍ଟ ଭାବରେ ବିଶ୍ୱ ଶ୍ରମ ବଜାରରେ ସୁଧାର ଅନିଶ୍ଚିତତା ମଧ୍ୟରେ ରହିଛି । ୨୦୨୦ ଦ୍ୱିତୀୟ ତ୍ରୟମାସରେ ବିଶ୍ୱ କାର୍ଯ୍ୟ ନିର୍ଘଣ୍ଟରେ ୧୪% ହ୍ରାସ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହା ୪୦ କୋଟି ନିଯୁକ୍ତି ହ୍ରାସ ସହ ସମାନ । ୨୦୨୦ ପ୍ରଥମାର୍ଦ୍ଧରେ ସମଗ୍ର ବିଶ୍ୱରେ କାର୍ଯ୍ୟ ନିର୍ଘଣ୍ଟ ହ୍ରାସ ଆଶା ଠାରୁ ଅତ୍ୟନ୍ତ ନିକୃଷ୍ଟ ରହିଛି । ଦ୍ୱିତୀୟାର୍ଦ୍ଧରେ ସୁଧାର ଆଶ ନାହିଁ ବୋଲି ଆଇଏଲଓ ଆଶଙ୍କା ପ୍ରକାଶ କରିଛି । ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖିଲେ ୨୦୨୦ ଦ୍ୱିତୀୟାର୍ଦ୍ଧ ଆହ୍ୱାନ ମୂଳକ ରହିବ ବୋଲି ଆଇଏଲଓ ମହାନିର୍ଦ୍ଦେଶକ ଗାଏ ରାଇଡର ପ୍ରକାଶ କରିଛନ୍ତି । ଗତ କିଛି ସପ୍ତାହ ହେବ ବିଭିନ୍ନ ସ୍ଥାନରେ ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ବିଶେଷ କରି ବିକାଶମୁଖୀ ରାଷ୍ଟ୍ରରେ ପରିସ୍ଥିତି ଖରାପ ଅଛି । ଆମେରିକା, ୟୁରୋପ ଏବଂ ସେଣ୍ଟ୍ରାଲ ଏସିଆ, ଏସିଆ ଏବଂ ପାସିଫିକ ଆରବ ଏବଂ ଆଫ୍ରିକାରେ ସର୍ବାଧିକ ନିଯୁକ୍ତି ଯାଇଥିବା ଜଣାଯାଇଛି ।


