ଗଜପତି ଜିଲ୍ଲା ମୁଖ୍ୟଚିକିତ୍ସାଳୟର କରୋନା ଯୋଦ୍ଧା ପଜିଟିଭ୍ : ସାଧାରଣଙ୍କ ପ୍ରବେଶ ନିଷେଧ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଯୋଦ୍ଧା ସଂକ୍ରମଣ ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିକିତ୍ସାଳୟର ସୁରକ୍ଷା ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ପ୍ରବେଶ ଦ୍ୱାରକୁ ବନ୍ଦ କରାଯାଇ ସେଠାରେ ଜରୁରୀକାଳୀନ ଓ ଗୁରୁତର ଚିକିତ୍ସା ହେବାକୁ ଥିବା ରୋଗୀ ଏବଂ ସେମାନଙ୍କ ସହ ଖୁବ କମ ସଂଖ୍ୟକ ସହଯୋଗୀଙ୍କୁ ଛାଡିବାପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏଥି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରବେଶ ଦ୍ୱାରରେ ସୁରକ୍ଷା କର୍ମୀଙ୍କୁ ୨୪ଘଣ୍ଟିଆ ସଜାଗ ରଖାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨ଜଣ ଡାକ୍ତର ଓ କିଛି ଜଣ କର୍ମଚାରୀ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ସେମାନଙ୍କୁ ଚିକିତ୍ସାପାଇଁ ରାଜସୀତାପୁର ସ୍ଥିତ କୋଭିଡ୍-୧୯ ଚିକିତ୍ସାଳୟକୁ ପଠାଯାଇ ମୁଖ୍ୟ ଚିକିତ୍ସାଳୟ ପରିସରକୁ ସାନିଟାଇଜ କରାଯାଇଥିଲା । ସେହିପରି ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କୁ ଏ ନେଇ ସଚେତନ କରାଯାଇଛି । ସମଗ୍ର ଚିକିତ୍ସାଳୟକୁ ବିଶୋଧନ ଏବଂ ସାନିଟାଇଜ ବାରମ୍ବାର କରାଯାଉଛି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି କଟକଣା ଆଜି ମଧ୍ୟ ବଳବତ୍ତର ରହିଛି । ଗଜପତି ଜିଲ୍ଲାରେ କରୋନା ସଂକ୍ରମଣ ୪୬୦ ଛୁଇଁଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ସତର୍କ ଦୃଷ୍ଟି ରଖାଯାଇ ସେଠାକୁ କୌଣସି ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି ।


