ଡାକ୍ତର ନିଯୁକ୍ତି ଓ କରୋନା ସୁରକ୍ଷା କିଟ୍‌ ଯୋଗାଇବା ଦାବି ନେଇ ୧୧୪ତମ ଘଣ୍ଟଯାତ୍ରା

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ପୋଜିଟିଭ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଅଧିକ ସଂଖ୍ୟାରେ ଡାକ୍ତର ନିଯୁକ୍ତି ସହ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପିପିଇ କିଟ, କରୋନା ପରୀକ୍ଷା କିଟ, ସେରୋଲୋଜିକାଲ କିଟ, ଔଷଧ ଆଦି ପର୍ଯ୍ୟାପ୍ତ ମାତ୍ରାରେ ଯୋଗାଇବା ଦାବିନେଇ ଆଜି ମଞ୍ଚ କାର୍ଯ୍ୟାଳୟଠାରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୧୧୪ତମ ଘଣ୍ଟଯାତ୍ରା ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରସରକାର ଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ପଦକ୍ଷେପ ଯୋଗୁଁ କରୋନା ସଂକ୍ରମଣ ଦେଶରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାବେଳେ ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଚରମ ଅବହେଳା, ପର୍ଯ୍ୟାପ୍ତ ମାତ୍ରାରେ ଔଷଧ, ପିପିଇ କିଟ, ପରୀକ୍ଷା କିଟ ଆଦିର ଘୋର ଅଭାବ ରହିଛି l ସମୟ ଅନୁସାରେ ସଠିକ ପ୍ରବାସୀ ନୀତି ନ ନେବା ଓ କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଉଲ୍ଲଙ୍ଘନ ତଥା ଶ୍ରମିକ ବିରୋଧୀ ନୀତି ଯୋଗୁଁ ବର୍ତମାନ ଓଡିଶା ଭଳି ରାଜ୍ୟରେ ମୁଖ୍ୟତ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଇ ବହୁ ସଂଖ୍ୟାରେ ରୋଗୀଙ୍କ ମୃତ୍ୟୁ ହେଲାଣି l କିନ୍ତୁ ସେଥିଅନୁଯାୟୀ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ନିମନ୍ତେ ସର୍ବନିମ୍ନ ଆବଶ୍ୟକତା ଗୁଡିକ ମଧ୍ୟ ସରକାର ଯୋଗାଉନାହାନ୍ତି l ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ ରୋଗୀ ଚି଼ହ୍ନଟ ବେଳେ ମାତ୍ର ଦୁଇ ଶହ ବେଡ଼ ନେଇ କୋଭିଡ-୧୯ ହସ୍ପିଟାଲ ବ୍ୟବସ୍ଥା କରି ରାଜ୍ୟ ସରକାର ନିଜ ଦାୟିତ୍ୱରୁ ଓହରିଯାଇଛନ୍ତି ଓ ଲକଡାଉନ ସଟଡାଉନ କରି ଲୋକଙ୍କ ଠାରୁ ଫାଇନ ଆଦାୟ କରି କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି l କରୋନା ସଂକ୍ରମଣ ଏକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ହେବା ସତ୍ୱେ ଏହାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏକ ଆଇନ ଶୃଙ୍ଖଳା ସମସ୍ୟା ଭାବେ ଲୋକଙ୍କୁ ଗିରଫ କରିବା, ଲାଠି ପ୍ରହାର କରିବା , ଅସଦ ବ୍ୟବହାର କରିବା , ଫାଇନ ପକାଇବା ଆଦି ଅଗଣତାନ୍ତ୍ରିକ ଓ ଅମାନବିୟ ପଦକ୍ଷେପ ନେଉଛନ୍ତି l ସୂଚନା ଯୋଗ୍ୟ ଯେ, ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗର ଭଳି ଅଂଚଳରେ ଥିବା ସରକାରୀ ଡାକ୍ତରଖାନା ମାନଙ୍କରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସଂକ୍ରମିତ ହେବା ଯୋଗୁଁ ସେହି ହସ୍ପିଟାଲ ଗୁଡିକ ପ୍ରାୟ ବନ୍ଦ ହୋଇସାରିଛି l କରୋନା ବ୍ୟତୀତ ଅନ୍ୟରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା ମଧ୍ୟ ଆଉ ସମ୍ବବ ହେଉନାହିଁ l କରୋନା ଯୋଦ୍ଧା ଭାବେ ଘୋଷଣା ହୋଇଥିବା ସାମ୍ବାଦିକ, ଡାକ୍ତର, ନର୍ସ,ଅଙ୍ଗନବାଡି ଦିଦି, ପୋଲିସ କର୍ମଚାରୀଙ୍କୁ ମଧ୍ୟ ଜରୁରୀ ଆବଶ୍ୟକତା ଯୋଗାଉଯାଉନାହିଁ l ଏଣୁ ଗଞ୍ଜାମ ଜିଲ୍ଲାରେ ସ୍ୱାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା ସମ୍ପୂର୍ଣ ଭାବେ ଧୂଳିସାତ ହୋଇଯାଇଥିବାବେଳେ ମଧ୍ୟ ସରକାରଙ୍କ ଚେତା ଆସିନାହିଁ l ଏଣୁ ଜିଲ୍ଲାରେ ଅଧିକ ସଂଖ୍ୟାରେ ଡାକ୍ତର ନିଯୁକ୍ତି ସହ ପର୍ଯ୍ୟାପ୍ତ ମାତ୍ରାରେ ପିପିଇ କିଟ,କୋଭିଡ ସଂକ୍ରମଣ ପରୀକ୍ଷା କିଟ, ଔଷଧ ଆଦି ଯୋଗାଇବା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ୧୧୪ତମ ଘଣ୍ଟଯାତ୍ରା ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଯେ, ଶିକ୍ଷା ଓ ସ୍ୱାସ୍ଥ୍ୟ ଜନିତ ସମସ୍ୟାଗୁଡିକର ସମାଧାନ ପାଇଁ ଗତ ତିନି ବର୍ଷ ଉର୍ଦ୍ଧରୁ ଘଣ୍ଟଯାତ୍ରା ଗଣବିକ୍ଷୋଭ ମାଧ୍ୟମରେ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯାଉଛି ଓ ଅନେକ ସମାଧାନ ମଧ୍ୟ ହୋଇଛି l ଆଜିର ଏହି ବିକ୍ଷୋଭରେ ସତ୍ୟ ନାରାୟଣ ରାଓ, ସସ୍ମିତା ବେହେରା, ଶ୍ରୀନିବାସ ରାଓ,ଜି. ତାରିଣୀ, ଅର୍ପିତା ପ୍ରିୟଦର୍ଶିନୀ, ଶୁଭଙ୍କର, ସଚଦେବ ବେହେରା, ସୋମଦେବ ବେହେରା, ଅବନୀ ଗୟା ପ୍ରମୁଖ ଅଂଶଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ