ଶହୀଦ ବାଘା ଯତୀନଙ୍କ ୧୦୪ତମ ସ୍ମୃତି ଦିବସ ପାଳନ ନିମନ୍ତେ ପ୍ରସ୍ତୁତି

ବାଲେଶ୍ୱର : ସଦଭାବନା ସଭାଗୃହରେ ଶହୀଦ ବାଘା ଯତୀନଙ୍କ ୧୦୪ତମ ସ୍ମୃତି ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ସେପ୍ଟେମ୍ବର ୯ ଓ ୧୦ତାରିଖ ଦିନ ପାଳିତ ହେବାକୁ ଶହୀଦ ବାଘା ଯତୀନଙ୍କ ୧୦୪ତମ ସ୍ମୃତି ଦିବସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ପଶ୍ଚିମବଙ୍ଗରୁ ଆସୁଥିବା ରକ୍ତତୀର୍ଥ ଯାତ୍ରୀଙ୍କ ବାଲେଶ୍ୱର ଯାତ୍ରା ଓ ରହଣୀର ସୁବ୍ୟବସ୍ଥା କରିବା, କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ବିଭିନ୍ନ ପ୍ରତିମୂର୍ତିକୁ ରଙ୍ଗ ଦେବା ସହ ସେଥିରେ ମାଲ୍ୟାର୍ପଣ କରିବା, ରାସ୍ତା ମରାମତି ଓ ପରିଷ୍କାର ପରିଚ୍ଛନ୍ନ କରିବା, ଜାତୀୟ ରାଜପଥରୁ ଚଷାଖଣ୍ଡ ପର୍ଯ୍ୟନ୍ତ ରାସ୍ତାର ମରାମତି କରିବା, ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଚଷାଖଣ୍ଡଠାରେ ହେବାକୁ ଥିବା ସାଧାରଣ ସଭାର ଆୟୋଜନ ନିମନ୍ତେ ସମସ୍ତ ବ୍ୟବସ୍ଥା କରିବା ପ୍ରଭୃତି ପ୍ରସଙ୍ଗ ଉପରେ ଏହି ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ସେହିପରି ଏହି କାର୍ଯ୍ୟକ୍ରମ ନିମନ୍ତେ ବଜେଟ ପ୍ରସ୍ତୁତ ଏବଂ ଉପଯୁକ୍ତ ସମନ୍ୱୟ ରକ୍ଷା ପୂର୍ବକ ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ କରିବା ନିମନ୍ତେ ଜିଲ୍ଲାପାଳ ଚକ୍ରବର୍ତୀ ଗୁରୁତ୍ୱାରୋପ କରିଥିବା ବେଳେ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ସମୟୋଚିତ ପଦକ୍ଷେପ ନେବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମରେ ସଫଳତା ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ, ଡେପୁଟୀ କଲେକ୍ଟର ଅରୁଣା ତ୍ରିପାଠୀ ପ୍ରମୁଖ ବୈଠକରେ ଯୋଗ ଦେଇଥିବା ବେଳେ ବାଘା ଯତୀନ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ସେନାପତି, ବାଘା ଯତୀନ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ସୁଜିତ କୁମାର ଦେବ, ସାଧାରଣ ସମ୍ପାଦକ ହରେନ ଚନ୍ଦ୍ର ରଣା, ଅନ୍ୟାନ୍ୟ ସଦସ୍ୟ-ସଦସ୍ୟା, ବିଭାଗୀୟ ଅଧିକାରୀବୃନ୍ଦ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏଥିରେ ଉପସ୍ଥିତ ରହି ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ । ଉପଜିଲ୍ଲାପାଳ ନୀଲୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ