ଗାନ୍ଧି ଜୟନ୍ତୀରୁ ଅନଲାଇନରେ ମିଳିବ ସରକାରୀ ସେବା
ଭୁବନେଶ୍ୱର: ସରକାରୀ ସେବା ପାଇଁ ଯିବାକୁ ପଡ଼ିବନି ସରକାରୀ ଅଫିସ । ଘରେ ବସି ଅନଲାଇନରେ ପାଇହେବ ସବୁ ସରକାରୀ ସେବା । ଆସନ୍ତା ଗାନ୍ଧି ଜୟନ୍ତୀ ସୁଦ୍ଧା ସରକାରଙ୍କର ସମସ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ମୂଲ୍ୟବାନ ଜମି ଏଣିକି ମହାକାଶ ଜ୍ଞାନ କୌଶଳ ଜଗିବ । ଜିଓ ଟ୍ୟାଗିଂ କରାଯାଇ ଜମିକୁ ସୁରକ୍ଷିତ ରଖାଯିବ । ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନକୁ ପ୍ରବେଶ ପାଇଁ ଅନଲାଇନରେ ମିଳିବ ଅନୁମତି । ଅନ୍ୟ ରାଜ୍ୟରେ ଥିବା ଓଡ଼ିଶା ଭବନରେ ରୁମ୍ ସଂରକ୍ଷଣ ଓ ରାଜ୍ୟ ଅତିଥି ଭବନରେ ରହଣୀ ପାଇଁ ମଧ୍ୟ ଅନଲାଇନରେ ମିଳିପାରିବ ଅନୁମତି । ଏସବୁ ପାଇଁ ‘୫ଟି’ ରେ ୮ ଟି ଅନଲାଇନ ଓ ମୋବାଇଲ ସେବା ସୁବିଧାରେ ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭିଡିଓ କନଫରେନ୍ସିଂରେ ନୂଆ ଅନଲାଇନ ସେବା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ‘୫ଟି’ ଓ ‘ମୋ ସରକାର’ ରାଜ୍ୟରେ ଗୁଣାତ୍ମକ ସରକାରୀ ସେବା ଯୋଗାଉଛି । ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ଆଖି ଦୃଶିଆ ଉନ୍ନତି ଆସିଛି । ରାଜ୍ୟବାସୀଙ୍କୁ ସମ୍ମାନର ସହ ସରକାରୀ ସେବା ଦୁଆର ମୁହଁରେ ଯୋଗାଇବାକୁ ଆମେ ସଂକଳ୍ପବଦ୍ଧ । ସରକାରଙ୍କର ସମସ୍ତ ସେବା ଅନଲାଇନରେ ଉପଲବ୍ଧ ଆମର ମୂଳ ଉଦ୍ଦେଶ୍ୟ । ୨୦୧୯ ଅଗଷ୍ଟରେ ୫ଟି ସେବା ଆରମ୍ଭ କରି ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସବୁ ସରକାରୀ ସେବା ଅନଲାଇନରେ ଯୋଗାଇବାକୁ ଆମେ ଲକ୍ଷ୍ୟ ରଖିଥିଲୁ । ମାତ୍ର କରୋନା ପାଇଁ ଏଥିରେ ପ୍ରତିବନ୍ଧକ ଆସିଛି । ଆସନ୍ତା ଗାନ୍ଧି ଜୟନ୍ତୀ ସୁଦ୍ଧା ଏହି ସେବା ଉପଲବ୍ଧ ହେବ । ସେ କହିଲେ, ରାଜଧାନୀର ମୂଲ୍ୟବାନ ଜମିର ସୁରକ୍ଷା ପାଇଁ ପ୍ରଥମ ରାଜ୍ୟ ଭାବେ ମହାକାଶ ଜ୍ଞାନ କୌଶଳ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବ । ଏହା ଦ୍ୱାରା ଜମିର ସୁରକ୍ଷା ସହ ବିକାଶ ମୂଳକ କାମରେ ଏହାର ବିନିଯୋଗ କରିହେବ । ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ କହିଛନ୍ତି ଯେ, ‘୫ଟି ବ୍ୟବସ୍ଥା ଆରମ୍ଭ କରି ସମଗ୍ର ଦେଶରେ ଶାସନ ବ୍ୟବସ୍ଥାରେ ଓଡ଼ିଶା ମଡେଲ ଷ୍ଟେଟ ଭାବେ ପରିଚିତ ହୋଇଛି । ରାଜ୍ୟ ସରକାର ଏବେ ୧୦୫ଟି ସେବା ଅନଲାଇନରେ ପ୍ରଦାନ କରୁଛନ୍ତି ।


