ସର୍ଟଡାଉନରେ ଦୋକାନବଜାର ସମ୍ପୁର୍ଣ୍ଣ ବନ୍ଦ, ରାସ୍ତାରେ ଚାଲୁଛି କେବଳ ବାଲିଗାଡି
ହାଟଡ଼ିହି, (ଓ୍ବାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଯେଉଁ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ ସେହି ଜିଲ୍ଲାମାନଙ୍କରେ ଜୁଲାଇ ମାସର ଶନିବାର ଓ ରବିବାର ଦୁଇଦିନ ପାଇଁ ସର୍ଟଡାଉନ ନିୟମ ଲାଗୁ କରାଯାଇଛି । ସେହି ଅନୁସାରେ କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ୫୦ରୁ ଉର୍ଦ୍ଧ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ମାସର ପ୍ରତ୍ୟେକ ଶନି ଓ ରବିବାର ଦୁଇଦିନିଆ ସର୍ଟଡାଉନ ନିଷ୍ପତିକୁ କାର୍ଯ୍ୟକାରୀ କରାଯାଉଛି । ଲକଡାଉନ ନିୟମକୁ ଲୋକମାନେ ଠିକ ଭାବେ ପାଳନ କରୁନଥିବାବେଳେ ଏହି ସର୍ଟଡାଉନ ଦ୍ୱାରା କେତେକାଶଂରେ ସଂକ୍ରମଣକୁ ରୋକାଯାଇ ପାରିବ ଆଶା କରାଯାଉଛି । । ଆଜି ଦ୍ୱିତୀୟ ସର୍ଟଡାଉନ ସମୟରେ ହାଟଡିହି ବ୍ଲକର ପ୍ରାୟ ସମସ୍ତ ବଜାରରେ ଦୋକାନବଜାର ବନ୍ଦ ଥବବା ଦେଖିବାକୁ ମିଳିଛି । ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ଦୋକାନ ବଜାର ବନ୍ଦ ଥିବାବେଳେ କାଁ ଭାଁ କେଉଁଠି କେମିତି ଦୋକାନ ଖୋଲାଥିବା ଦେଖିବାକୁ ମିଳିଥିଲା । ଏହି ବନ୍ଦ ଯୋଗୁଁ ରାସ୍ତାଘାଟ ଆଜି ଜନଶୁନ୍ୟ ହୋଇପଡିଥିଲା । ଛକ ବଜାର ମାନଙ୍କରେ କେବଳ ଔଷଧ, ପେଟ୍ରୋଲ ପମ୍ପ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ଛାଡିଦେଲେ ପ୍ରାୟତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ଆଜି ବ୍ଲକର ଛେନାପଦିଛକ, ହାଟଡିହି, ଜଳକଳଙ୍ଗ, ମରୈଗାଁ, ଶାଳଣିଆଁ, କଳିଗାଁ, ଓରାଳି, ସଢ଼ା, ଢ଼େଙ୍କା, ବିଦ୍ୟାଧରପୁର, ବରାଙ୍ଗ, ରମ୍ପାସ ଆଦି ବଜାର ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂକୁ କଡାକଡି କରାଯାଇଥିଲା । ଆନନ୍ଦପୁର ଭଦ୍ରକ ରାସ୍ତାରେ ବସ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ଥିବାବେଳେ ଶହଶହ ବାଲିବୋଝେଇ ଗାଡି ଗୁଡିକ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା । ସର୍ଟଡାଉନ ବେଳେ ବାଡଲି ବୋଝେଇ ଗାଡି ଚଳାଚଳ କରିବାକୁ କାହିଁକି ଅନୁମତି ଦିଆଯାଉଛି ତାହାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ପ୍ରଶାସନ ତୁରନ୍ତ ଏହା ଉପରେ ରୋକ ଲାଗାଇବାକୁ ଦାବି ହେଉଛି ।


