୨୩ ଅକ୍ଟୋବର କେନ୍ଦ୍ରାପଡା ଜିଲ୍ଲାପାଳ ଅଫିସ ଘେରାଉ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଅବୈଧ ଏସଆଇଆର ପ୍ରକ୍ରିୟାକୁ ବାତିଲ କରିବା। ପୂର୍ବରୁ ପ୍ରଚଳିତ ନିୟମିତ ବ୍ୟବଧାନରେ ମତଦାତା ତାଲିକା ସଂଶୋଧନ ବ୍ୟବସ୍ଥାକୁ ପୁନଃ ଲାଗୁ କରିବା, ଭୋଟ ଚୋର ଜ୍ଞାନେଶ କୁମାରଙ୍କ ଇସ୍ତଫା, ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ଆଇନକୁ ରଦ୍ଦ କରିବା, ଭାରତର ନିର୍ବାଚନ ଆୟୋଗ (ଇସିଆଇ)ର ସ୍ୱାଧୀନତା ଓ ସ୍ୱାୟତ୍ତତା ସୁନିଶ୍ଚିତ କରିବା, ବ୍ୟାପକ ନିର୍ବାଚନ ସଂସ୍କାର କରାଯାଇ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରିବା, ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରଭାବକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଏବଂ ନିର୍ବାଚନୀ ଅର୍ଥ ଯୋଗାଣର ପ୍ରମୁଖ ବ୍ୟବସ୍ଥା ଭାବେ ରାଜ୍ୟ ପକ୍ଷରୁ ନିର୍ବାଚନୀ ପାଣ୍ଠି ଯୋଗାଣକୁ ସାମିଲ କରାଯିବା ପ୍ରଭୃତି ଦାବି ନେଇ ୨୩ ଅକ୍ଟୋବର ୨୦୨୬ରେ ଦେଶବ୍ୟାପୀ ବିଶାଳ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ଜିଲ୍ଲାରେ ସଫଳ କରିବା ଏବଂ ଏହାର ବାର୍ତ୍ତାକୁ ସମାଜର ସମସ୍ତ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମଙ୍ଗଳବାର କେନ୍ଦ୍ରାପଡା ସହରର ଖଡ଼ିଅଙ୍ଗ ସ୍ଥିତ ଶ୍ରମିକ ଭବନରେ ଏକ ପ୍ରସ୍ତୁତି ବୈଠକ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକରେ ସମାଜର ସମସ୍ତ ବର୍ଗ ଓ ବିଭିନ୍ନ ରାଜନୈତିକ ବିଚାର, ଗଣତାନ୍ତ୍ରିକ ଚିନ୍ତାଧାରାରେ ବିଶ୍ୱାସୀ ବ୍ୟକ୍ତିବିଶେଷଙ୍କ ସହିତ ନାଗରିକ ସମାଜର ପ୍ରତିନିଧି, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଗଣସଂଗଠନର ନେତୃବୃନ୍ଦ, ଛାତ୍ର-ଯୁବ ପ୍ରତିନିଧି, ଆଇନଜୀବୀ, ସାମ୍ବାଦିକ ଏବଂ ସମସ୍ତ ଗଣତନ୍ତ୍ରପ୍ରେମୀ ନାଗରିକଙ୍କ ଅଂଶଗ୍ରହଣ କରିଥିଲେ। ଅକ୍ଟୋବର ୨୩ ତାରିଖ ଦିନ ଏହି ସବୁ ଦାବିରେ ଆନ୍ଦୋଳନକାରୀମାନେ ତ୍ରିରଙ୍ଗା ଓ ପ୍ଲାକକାର୍ଡ ଧରି ଜିଲ୍ଲାପାଳ ଅଫିସ ଘେରାଓ କରିବାକୁ ନିଷ୍ପତ୍ତି ହୋଇଛି। ବହୁ ସଂଖ୍ୟାରେ ଆନ୍ଦୋଳନରେ ଯୋଗ ଦେବାପାଇଁ ବୈଠକରେ ନିବେଦନ କରାଯାଇଛି। ଏହାର ସୁପରିଚାଳନା ପାଇଁ ସାମାଜିକ କର୍ମୀ ଆଦିକନ୍ଦ ରାଉଳଙ୍କ ଆବହକତ୍ୱରେ ଅଧ୍ୟାପକ ଅଜୟ ସାମଲ, ଶ୍ରମିକ ନେତା ଜଗତଜୀବନ ଦାଶ, ଫକୀର ଖଟୁଆ, ଆପ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ସିପିଆଇ(ଏମ.ଏଲ.) ନେତା ପ୍ରକାଶ ଚନ୍ଦ୍ର ମଲିକ, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, କଂଗ୍ରେସ ଜିଲ୍ଲା ସମ୍ପାଦକ ସନ୍ତୋଷ ବେହେରାଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ରାଜ୍ୟ ନେତା ରମଣୀରଞ୍ଜନ ରାଉତରାୟ, ନଗର କଂଗ୍ରେସ ସଭାପତି ଦିଲ୍ଲୀପ ପ୍ରଧାନ, କର୍ମଚାରୀ ନେତା ନରୋତ୍ତମ ପାର୍ଥସରଥୀ, ଅବସରପ୍ରାପ୍ତ କର୍ମଚାରୀ ନେତା ବୈଷ୍ଣବ ଚରଣ ସ୍ୱାଇଁ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, କୃଷକ ନେତା ବିଜୟ ଦାସ, ବୁଦ୍ଧିଜୀବୀ ରଣଧୀର ଜେନା, ଅବଧୂତ ରାଉତ, କଂଗ୍ରେସ ନେତା ଦୁଃଶାସନ ପ୍ରଧାନ, ଦଳିତ ନେତା ରୋହିତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ