ଶିକ୍ଷା ଋଣ ନାମରେ ଠକେଇ ଥାନାରେ ଏତାଲା
ହିଞ୍ଜିଳିକାଟୁ, (ୱାଇଏନଏସ): ବହୁ ଅର୍ଥଲଗାଣକାରୀ ସଂସ୍ଥା ମାନେ ଲୋକଙ୍କୂ ଲୋଭର ବଶବର୍ତୀ କରାଇ ବହୁ ଲୋକଙ୍କୁ ଠକି ଦେଇ ଚାଲି ଯାଉଥିବା ପ୍ରତ୍ୟେହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି । ସରକାରଙ୍କ ଫକ୍ଷରୁ ଏଥି ପ୍ରତି ବହୁ ସଚେତନ କରାଯାଉଥିଲେ ମଧ୍ୟ ଜନ ସଚେତନତା ଅଭାବରୁ ବହୁ ସମୟରେ ଜନସାଧାରଣ ଠକାମୀର ଶିକାର ହେଉଥିବା ଜଣାପଡ଼ିଛି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଠୁରୁବୁରାଇ ଗ୍ରାମରେ ଦେଖିବାକୁ ମିଳିଛି । ଏକ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥା ପକ୍ଷରୁ ଶିକ୍ଷା ଋଣ ଯୋଗାଇ ଦେବା ନାମରେ ଜଣେ ଶିକ୍ଷାର୍ଥୀଙ୍କ ଠାରୁ ୧୬ ହଜାର ୫୦ ଟଙ୍କା ଠକି ନେଇ ଯାଇଥିବା ଜଣାପଡ଼ିଛି । ଏ ନେଇ ଠକାମୀର ଶିକାର ହୋଇଥିବା ଛାତ୍ର ଅନିଲ ପଣ୍ଡା, ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୨୪୪/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ହିଞ୍ଜିଳି ଥାନା ଠୁରୁବୁରାଇ ଗ୍ରାମର ଛାତ୍ର ଅନିଲ ଏକ ବେସରକାରୀ ଅର୍ଥଲଗାଣକାରୀ ସଂସ୍ଥାରୁ ୫୦ ହଜାର ଟଙ୍କାର ଶିକ୍ଷା ଋଣ ସକାଶେ ଅନଲାଇନ ଆବେଦନ କରିଥିଲେ । ପରେ ଜଣେ ବ୍ୟକ୍ତି ସଂପୃକ୍ତ ଛାତ୍ରଙ୍କୁ ଫୋନ କରି ଶିକ୍ଷାଗତ ଯୋଗ୍ୟତାର ସମସ୍ତ ପ୍ରମାଣପତ୍ରର ନକଲ ଏକ ଇମେଲ ଜରିଆରେ ପଠାଇବାକୁ କହିବା ସହ ୨ ହଜାର ୫୦ ଟଙ୍କା ଏକ ଆକାଂଟରେ ଜମା କରିବାକୁ କହିଥିଲେ । ପରବର୍ତି ସମୟରେ ୨ଟି କିସ୍ତିରେ ୬ ହଜାର ଓ ୮ ହଜାର ଟଙ୍କା ସେହି ଏକା ଏକାଂଟରେ ଜମା କରିଥିଲେ । ଛାତ୍ର ଜଣକ ସର୍ବମୋଟ ୧୬ ହଜାର ୫୦ ଟଙ୍କା ଜମା କରିଥିଲେ ସୁଦ୍ଧା ଶିକ୍ଷା ଋଣ ମିଳି ନଥିଲା । ଏ ନେଇ ଛାତ୍ର ଜଣକ ଫୋନ କରିଥିବା ଯୁବକଙ୍କୁ ଋଣ ବାବଦକୁ ଅର୍ଥ କେବେ ମିଳିବ ବୋଲି ପଚାରିବାରୁ ଆଜି କାଲି କହି ଠକି ଚାଲିଥିଲେ । ପରବର୍ତି ସମୟରେ ପୁଣିଥରେ ଯୁବକ ଜଣକ ଛାତ୍ରଙ୍କୁ ଟଙ୍କା ପଠାଇବାକୁ କହିବାରୁ ଛାତ୍ର ଜଣକ ସନ୍ଦେହ କରି ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ ।