ଜିଲ୍ଲା ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉଦଘାଟିିତ

କେନ୍ଦ୍ରାପଡା, ,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ବୁଧବାର ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶିଶୁଙ୍କ ମା’ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରି କହିଥିଲେ ଯେ ସ୍ତନ୍ୟପାନ ଶିଶୁ ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ ହୋଇଥିବାରୁ ସେ ସମ୍ପର୍କରେ ଜିଲ୍ଲାର ପ୍ରତ୍ୟେକ ଅଚଂଳରେ ମା’ମାନଙ୍କୁ ସଚେତନ କରାଯିବା ଆବଶ୍ୟକ । ଏତଦଭିନ୍ନ ଏହି ଜିଲ୍ଲାର ଶିଶୁମାନେ ଯେପରି କୁପୋଷଣର ଶୀକାର ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ସମସ୍ତ ସିଡିପିଓ,ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନଙ୍କୁ ନିର୍ଦେଶ ଦେଇଥିଲେ । ମମତା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମନୋରଞ୍ଜନ ଦାସ ଯୋଗଦେଇ କହିଥିଲେ ଯେ ଅର୍ନ୍ତଜାତୀୟ ସ୍ତରରେ ସଚେତନତା ପାଇଁ ଆରମ୍ଭ ହୋଇଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଶିଶୁ ଜନ୍ମର ଏକଘଂଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା, ୬ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ ଜାରି ରଖିବା,ଶିଶୁକୁ ୬ମାସ ପୁରିବା ମାତ୍ରେ ସ୍ତନ୍ୟପାନ ସହିତ ଅନ୍ୟ ଖାଦ୍ୟ ଦେବା,୨ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଚାଲୁରଖିବା,ଉତ୍ତମ ଓ ଯଥେଷ୍ଟ ପରିମାଣର ମା’କ୍ଷୀର ପାଇଁ ମା’କୁ ସଠିକ ପରିମାଣର ଖାଦ୍ୟ ଓ ବିଶ୍ରାମ କରିବାକୁ ସମୟ ଦିଆଯିବା ପ୍ରଭୃତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସ୍ତରରେ ସ୍ତନ୍ୟପାନ ହାର ୬୮.୭ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ସେହି ହାର ୬୩.୪ ପ୍ରତିଶତକୁ ହ୍ରାସ ପାଇଥିବାରୁ ସେଥିପ୍ରତି ସମସ୍ତ ବିଭାଗୀୟ ଅଧିକାରୀ ଓ ଅଙ୍ଗନୱାଡି କର୍ମୀମାନଙ୍କୁ ଆବଶ୍ୟକ ଧ୍ୟାନ ଦେବାକୁ ନିବେଦନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ରଥ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମା’ର ପ୍ରଥମ ହଳଦିଆ କଷ କ୍ଷୀର ଶିଶୁ ପାଇଁ ଅତି ଉତ୍ତମ ହୋଇଥିବାରୁ ଶିଶୁଟିକୁ ସେହି କ୍ଷୀର ପିଆଇବା ଆବଶ୍ୟକ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ମିର୍ଜା ବାବର ବେଗ କହିଥିଲେ ମା’କ୍ଷୀର ଶିଶୁର ମାନସିକ ଅବିବୃଦ୍ଧିରେ ସହାୟକ ହୋଇଥାଏ । ଏହି ଅବସରରେ ସୁସ୍ଥ ଶିଶୁଙ୍କ ମା’ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ସମ୍ପର୍କୀତ କୁଇଜ ପ୍ରତିଯୋଗୀତାର ସଠିକ ଉତ୍ତର ଦେଇଥିବା ଶିଶୁର ମା’ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବୈଠକରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟ ନାଥ ଜେନା,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ,ବିଭିନ୍ନ ବ୍ଲକର ସିଡିପିଓ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ,ସୁପରଭାଇଜର,ଅଙ୍ଗନୱାଡି କର୍ମୀ ଓ ବିଭିନ୍ନ ବ୍ଲକରୁ ଶିଶୁ ଏବଂ ସେମାନଙ୍କ ମା’ମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ