ସ୍ବଚ୍ଛତା ହିଁ ସେବା ପକ୍ଷ ଅବସରରେ ଦେବୀଗଡ଼ାରେ କେଏମସିର ସଫେଇ ଅଭିଯାନ
କଟକ,(ଓ୍ବାଇଏନଏସ): ସ୍ବଚ୍ଛତା ହିଁ ସେବା ପକ୍ଷ ଅବସରରେ କଟକ ମହାନଗର ନିଗମ (କେଏମସି) ପକ୍ଷରୁ ଦେବୀଗଡ଼ା ଘାଟ ପରିସରରେ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କେଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ, କମିଶନର ସୁଶ୍ରୀ କିରନଦୀପ କୌର ସହୋତା, ସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମୂଳିଆ ପ୍ରମୁଖ ଏଥିରେ ଯୋଗଦେଇ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ। ଗତକାଲି କଟକ ସହରରେ ଗଣେଶ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ସମଗ୍ର ସହରରେ ୪୦୦ରୁ ଅଧିକ ମୂର୍ତ୍ତି ବିସର୍ଜନ କରାଯାଇଥିଲା। କେବଳ ଦେବୀଗଡ଼ା ଘାଟରେ ୬୦ରୁ ଅଧିକ ମୂର୍ତ୍ତି ବିସର୍ଜିତ ହୋଇଥିଲା। ଭସାଣୀ ପରେ ଘାଟ ପରିସରକୁ ସ୍ବଚ୍ଛ ରଖିବା ପାଇଁ କେଏମସି ପକ୍ଷରୁ ତୁରନ୍ତ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ସକାଳେ ଦେବୀଗଡ଼ା ଘାଟରେ ଅସ୍ଥାୟୀ ପୋଖରୀ ଜଳରେ ଥିବା ମୂର୍ତ୍ତିଗୁଡ଼ିକର ଅବଶେଷକୁ ଜେସିବି ସାହାଯ୍ୟରେ ବାହାର କରାଯାଇ ସ୍ବତନ୍ତ୍ର ଟ୍ରାକ୍ଟର ଯୋଗେ ସେଗୁଡ଼ିକୁ ନିର୍ଦ୍ଧାରିତ ସ୍ଥାନକୁ ନିଆଯାଇଥିଲା। ଏଥିସହ ଘାଟ ପରିସରରେ ପଡ଼ିଥିବା ବିଭିନ୍ନ ଅଳିଆ ଆବର୍ଜନାକୁ ମଧ୍ୟ ସଫା କରାଯାଇଥିଲା।ଏହି ସଫେଇ ଅଭିଯାନରେ କେଏମସିର କର୍ପୋରେଟର ବନଲତା ପ୍ରଧାନ, ଆରତୀ ସାହୁ ଓ ପ୍ରଦୀପ ସାହୁ ପ୍ରମୁଖଙ୍କ ସହ କେଏମସିର ଶତାଧିକ ସଫେଇ କର୍ମଚାରୀଙ୍କ ସମେତ କଟକ ସିଗ୍ନେଚର ଏବଂ କଲ୍ୟାଣୀ ଚାରିଟେବଲ୍ ଟ୍ରଷ୍ଟର ସଦସ୍ୟମାନେ ମଧ୍ୟ ସ୍ବେଚ୍ଛାସେବୀ ଭାବେ ସାମିଲ ହୋଇଥିଲେ। କେଏମସି ସାନିଟେସନ୍ ବିଭାଗର ଡେପୁଟି କମିଶନର ଶ୍ରୀ ଜୁବୁଲି ଚରଣ ବେହେରା ସହରର ସମସ୍ତ ୧୩ଟି ଅସ୍ଥାୟୀ ବିସର୍ଜନ ପୋଖରୀ ପରିଦର୍ଶନ କରି ସଫେଇ ବ୍ୟବସ୍ଥାର ତଦାରଖ କରିଥିଲେ ଏବଂ ସ୍ବଚ୍ଛତା ଉପରେ ଗୁରୁତ୍ବାରୋପ କରିଥିଲେ। ଗତକାଲି ରାତିରୁ କେଏମସିର ସଫେଇ କର୍ମଚାରୀମାନେ ସମସ୍ତ ଅସ୍ଥାୟୀ ପୋଖରୀରୁ ମୂର୍ତ୍ତିର ଅବଶେଷ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ବାହାର କରି ସଫେଇ କାର୍ଯ୍ୟ ଜାରି ରଖିଛନ୍ତି। ସହରବାସୀଙ୍କ ସୁବିଧା ଏବଂ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କେଏମସି ପକ୍ଷରୁ ସହରର ୧୩ଟି ସ୍ଥାନରେ ୧୩ଟି ଅସ୍ଥାୟୀ ବିସର୍ଜନ ପୋଖରୀ ନିର୍ମାଣ କରାଯାଇଛି। ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଜନସାଧାରଣ ଏହି ଅସ୍ଥାୟୀ ପୋଖରୀଗୁଡ଼ିକର ବ୍ୟବହାର କରିବାକୁ କେଏମସି ପକ୍ଷରୁ ଅନୁରୋଧ କରାଯାଇଛି। ସଫେଇ ଅଭିଯାନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ, ସ୍ବଚ୍ଛସାଥୀ, ସାନିଟେସନ୍ ଏକ୍ସପର୍ଟ ବିଭିନ୍ନ ୱାର୍ଡର ସାନିଟେସନ୍ ଇନ୍ସପେକ୍ଟର ଏବଂ କେଏମସିର ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ସ୍ବଚ୍ଛତା ହିଁ ସେବା, ଏହି ବାର୍ତ୍ତାକୁ ଆହୁରି ଦୃଢ଼ କରିବା ସହ ସ୍ବଚ୍ଛ, ସୁସ୍ଥ ଓ ସୁନ୍ଦର କଟକ ଗଠନ ପାଇଁ କେଏମସିର ସଫେଇ ଅଭିଯାନ ଜାରି ରହିବ।


