ଦେଶରେ ସୁସ୍ଥଙ୍କ ସଂଖ୍ୟା ୭ ଲକ୍ଷରୁ ଅଧିକ
ନୂଆଦିଲ୍ଲୀ : କରୋନା ମୃତ୍ୟୁହାର ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି । ଭାରତର ମୃତ୍ୟୁହାର ଆଜି ୨.୪୬ପ୍ରତିଶତରେ ପହଞ୍ଚିଛି ଯାହାକି ବିଶ୍ୱରେ ସର୍ବନିମ୍ନ । ଉଭୟ କମ ଓ ଗୁରୁତର ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଉପଯୁକ୍ତ ଚିକିତ୍ସା ଯୋଗୁଁ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି । ନୂଆଦିଲ୍ଲୀସ୍ଥିତ ଏମ୍ସରେ ଇ-ଆଇସିୟୁ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୃତ୍ୟୁହାର କମାଇବା ଲକ୍ଷ୍ୟ ରଖି ଏମ୍ସ ପକ୍ଷରୁ ୧୧ଟି ରାଜ୍ୟର ୪୩ଟି ହସ୍ପିଟାଲରେ ଦକ୍ଷ ଚିକିତ୍ସକମାନଙ୍କୁ ଆଇସିୟୁ ରୋଗୀମାନଙ୍କ ଚିକିତ୍ସା ଉପରେ ପରାମର୍ଶ ଦିଆଯାଉଛି । ସେଦୃଷ୍ଟିରୁ ସାଂଘାତିକ ଅବସ୍ଥାରେ ଥିବା ରୋଗୀମାନଙ୍କ ଉପଯୁକ୍ତ ଉପଚାର ହୋଇପାରୁଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୭ଲକ୍ଷରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏହାଫଳରେ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ତାରତମ୍ୟ ବୃଦ୍ଧି ପାଇ ପ୍ରାୟ ୩,୦୯,୬୨୭ରେ ପହଞ୍ଚିଛି । କେବଳ ଗତ ୨୪ଘଣ୍ଟା ମଧ୍ୟରେ ୨୨,୬୬୪ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ହାର ବର୍ତ୍ତମାନ ୬୨.୬୨ପ୍ରତିଶତରେ ପହଞ୍ଚିଛି । ସକ୍ରିୟ ଥିବା ୩,୯୦,୪୫୯ଜଣ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା ପ୍ରଦାନ କରାଯାଉଛି ।


