ଆଗରପଡାରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ: ବାଧକ ସାଜିଛି କରୋନା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଠାରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ ଦେଖାଯାଇଥିବା ବେଳେ ଏନେଇ କରୋନା ବାଧକ ସାଜିଥିବା ପ୍ରଶାସନିକ ସ୍ତରରୁ ଜାଣିବାକୁ ମିଳିଛି । ପ୍ରକାଶ ଯେ, ଆଗରପଡା ଠାରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେବ ସ୍ଥାନୀୟ ଜନପ୍ରତିନିଧି, ପ୍ରେସ୍ କ୍ଲବ, ଆଗରପଡା ମହୋତ୍ସବ କମିଟି, ଅବସରପ୍ରାପ୍ତ କର୍ମଚାରୀ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ଆଇନଜୀବି ସଂଘ, ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ମଣ୍ଡଳୀ, ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ଦାବୀ ହୋଇଆସୁଥିଲା । ଏସଂପର୍କରେ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରସ୍ତାବ ତଥା ଉଚ୍ଚ ନ୍ୟାୟାଳୟର ଅନୁମତି କ୍ରମେ ଜିଲା ଓ ସେସନ୍‌ସ ଭଦ୍ରକ ଚିଠି ନଂ-୪୮୪/ତା-୧୮-୨-୨୦ରେ ଭଦ୍ରକ ଜିଲାପାଳଙ୍କୁ ଆଗରପଡା ଠାରେ ଏକ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମାନ୍ୟବର ଜିଲା ଓ ସେସନ୍‌ସ ଜଜ୍ ଉଲ୍ଲେଖ କରିଥିଲେ ଯେ, ୨୦୧୮ ମସିହାରେ କ୍ଷେତ୍ର ପରିଦର୍ଶନ କରି ଅସ୍ଥାୟୀ ଭାବେ ପୁରୁଷଣ୍ଢସ୍ଥିତ ରାଜୀବ ସେବା କେନ୍ଦ୍ର ଠାରେ ଗ୍ରାମ ନ୍ୟାୟାଳୟ ସ୍ଥାପନ ବିଷୟରେ ନିଷ୍ପତ୍ତି ନେବାକୁ କହିଥିଲେ । ମାନ୍ୟବର କୋର୍ଟଙ୍କ ଚିଠି ପାଇବା ପରେ ଜିଲାପାଳଙ୍କ ଜୁଡିସିଆଲ ବିଭାଗ ଚିଠି ନଂ-୨୯୧/ତା-୪-୩-୨୦ରେ ବିଡିଓ ବନ୍ତଙ୍କୁ ଆଗରପଡା ଠାରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ପାଇଁ ଯଥାଶିଘ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ପ୍ରଶାସନକୁ ସହଯୋଗ କରିବା ପାଇଁ ସ୍ଥାନୀୟ ବିଧାୟକ ଆଗରପଡା ଜନପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା ବିଳମ୍ବ ନେଇ ବିଡିଓ ରେବେକା ବିଲୁଙ୍ଗଙ୍କୁ ପଚାରିବାରୁ କୋଭିଡ୍‌-୧୯ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ବିଳମ୍ବ ହେଉଥିବା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ