ବୈଠକ, ଜିଲ୍ଲାରେ ‘ନିର୍ଭୟ କଢି’ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଆକ୍ସନଏଡ୍ ଓ ୟୁନିସେଫ ଓଡିଶାର ମିଳିତ ଆନୁକୂଲ୍ୟରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଅଧ୍ୟକ୍ଷତା କରି ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଶିଶୁ ସୁରକ୍ଷା, ଶିଶୁର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ କିଶୋର କିଶୋରୀମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । କମ୍ ବୟସରେ ବାହାଘର ଯୋଗୁଁ କିଶୋରୀ ଜଣକ ବିଭିନ୍ନ କ୍ଷେତ୍ରରେ ପଛୁଆ ରହୁଛି ଫଳରେ ତାହାର ବିକାଶ ବାଧାପ୍ରାପ୍ତ ହେଉଛି । ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲାରେ ମଧ୍ୟ ଏକ ନିର୍ଭୟ କଢି ନାମକ ଏକ ଯୋଜନା କରାଯିବ । ଏହି ଯୋଜନାରେ ବାଲ୍ୟ ବିବାହ ବିରୋଧରେ ସଚେତନତା ସୃଷ୍ଟି କରାଯିବ ଏବଂ ବାଲ୍ୟ ବିବାହ ବିରୋଧରେ ନିତୀ ନିର୍ଧାରଣ ଓ ପ୍ରଚଳିତ ଆଇନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ କାମ କରିବ । ଜିଲ୍ଲାରେ ମଧ୍ୟ ଅନେକ ଶିଶୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରୁ ନାହାନ୍ତି ତେଣୁ ଅଧାରୁପାଠ ବନ୍ଦ ଯୋଗୁଁ ଶିଶୁ ଶ୍ରମିକ, ଶିଶୁ ଚାଲଣ, କମ ବୟସରେ ବାହାଘର ଭଳି ସମସ୍ୟା ଦେଖାଦେଉଛି । ଯେଉଁ ଶିଶୁମାନେ ନିୟମିତ ବିଦ୍ୟାଳୟକୁ ଆସୁ ନାହାନ୍ତି କିମ୍ବା ଅଧାରୁ ପାଠ ପଢା ବନ୍ଦ କରି ଦେଉଛନ୍ତି ତାହାର କାରଣ ଖୋଜି ବିଦ୍ୟାଳୟ ଗୁଡିକରେ ଉପସ୍ଥାନ ଯାଞ୍ଚ ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବାଲ୍ୟ ବିବାହ ଏକ କୁପ୍ରଭାବକୁ ଜିଲ୍ଲାରେ ସଂପୂର୍ଣ୍ଣ ହ୍ରାସ କରି ସମସ୍ତଙ୍କ ସହଯୋଗରେ ଶିଶୁମାନଙ୍କୁ କିପରି ସୁରକ୍ଷିତରେ ବଞ୍ଚିବା ପାଇଁ ପ୍ରୟାସ ଜାରି ରଖିବା ପାଇଁ ଜିଲ୍ଲାରେ ‘ନିର୍ଭୟ କଢି’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ସଂକ୍ରାନ୍ତରେ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଗୋଟିଏ ଲେଖାଁଏ କମିଟି ଗଠନ କରାଯିବ । ପଞ୍ଚାୟତ ସ୍ତରରେ ବାଲ୍ୟ ବିବାହ ରୋକିବା ସଂପର୍କିତ ନେଇ ଗ୍ରାମବାସୀଙ୍କୁ ସଚେତନତା କରାଯିବ । ଗ୍ରାମରେ ଯେତେ ଗୁଡିଏ ବାହାଘର ହେବ ବର ଓ କନ୍ୟାର ଆଧାର କାର୍ଡକୁ ନିରୀକ୍ଷଣ କରାଯିବ । ଏଥିସହ ଉଭୟ ବରକନ୍ୟାଙ୍କ ଏଚ୍ଆଇଭି ପରୀକ୍ଷା କରିବା ପାଇଁ ସଚେତନତା କରାଯିବ । ଗ୍ରାମପଞ୍ଚାୟତ ସ୍ତରର କମିଟିରେ ସଦସ୍ୟମାନେ ଏହି ସଂକ୍ରାନ୍ତରେ ଗ୍ରାମର ଲୋକମାନଙ୍କୁ ବ୍ୟାପକ ଭାବେ ସଚେତନତା କରାଇବେ ଯଦି କୌଣସି ସମସ୍ୟା ଦେଖାଦିଏ ତେବେ କମିଟି ପୁଲିସର ସହୟତା ନେଇପାରିବେ । ତେବେ ବାହାଘର ବେଳେ ବର କନ୍ୟାଙ୍କ ସଠିକ୍ ବୟସ ଜାଣିପାରିବା । ଏହାକୁ ପ୍ରତି ପଞ୍ଚାୟତରେ କଡାକଡି ଭାବରେ ପାଳନ କରାଯିବ । ପ୍ରତିମାସ ତୃତୀୟ ଶନିବାରରେ ନିର୍ଭୟ କଢି ସଂପର୍କିତ ନେଇ ଅଙ୍ଗନବାଡି କର୍ମୀ କେନ୍ଦ୍ର ଗୁଡିକରେ ପଞ୍ଚାୟତ ସ୍ତର କମିଟି ଗ୍ରାମବାସୀଙ୍କୁ ବାଲ୍ୟ ବିବାହ ରୋକିବା ସଂପର୍କରେ ସଚେତନତା କରିବେ । ସେହିପରି ଶିଶୁ ଶ୍ରମିକମାନଙ୍କ ଉଦ୍ଧାର କରି ସେମାନଙ୍କୁ ଥଇଥାନ ଦିଗରେ ଉଦ୍ୟମ ରହିବ । ବିଭିନ୍ନ ଗ୍ୟାରେଜ୍, ଢାବା, କାଜୁ କାରଖାନା, ହୋଟେଲ ଗୁଡିକୁ ନିୟମିତ ଚଢାଉ ଜାରି ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ମଞ୍ଚାସୀନ ଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଜିଲ୍ଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ, ବ୍ରହ୍ମପୁର ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ସମସ୍ତଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆକ୍ସନଏଡର ଆଞ୍ଚଳିକ ପ୍ରବନ୍ଧକ ଦେବବ୍ରତ ପାତ୍ର ବୈଠକରେ ବାଲ୍ୟ ବିବାହ କୁପରିନାମ ଓ ବାଲ୍ୟ ବିବାହ ଉଚ୍ଛେଦ ପାଇଁ ଉଦେଷ୍ଟ ଥିବା ଆଇନ୍ ଉପରେ ଆଲୋକପାତ କରିଥିଲେ । ୟୁନିସେଫ୍ର ଚାଇଲଡ୍ ସ୍ପେଶାଲିଷ୍ଟ ନେୟା ନାଇଡୁ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ କିପରି ରୋକାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବା ପାଇଁ ବିଭିନ୍ନ କାର୍ଯ୍ୟ ଖସଡା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା, ଶିଶୁ ଶିକ୍ଷା, ଶିଶୁ ଶ୍ରମିକ ନିରୋଧ, କନ୍ୟାଭୃଣ ହତ୍ୟା ରୋକିବା ଓ ବାଲ୍ୟ ବିବାହ ନିଷେଧ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଆକ୍ସନ୍ଏଡର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।