ବନ୍ତରେ ଦୁର୍ଗା ପୂଜା ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ସର୍ବପୁରାତନ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ ହୋଇଛି । ପ୍ରାରମ୍ଭରେ ସୁଶୀଲ କୁମାର ଦାଶ, ଲକ୍ଷ୍ମୀ ନାରାୟଣ ପାଣି ନିକଟସ୍ଥ ପୁଷ୍କରିଣୀରୁ କଳସ ଆଣିବା ପରେ ଘଟସ୍ଥାପନା ପୂର୍ବକ ଶନିବାର ସପ୍ତମୀ ପୂଜା ଆରମ୍ଭ ହୋଇଥିଲା । ମୁଖ୍ୟ ପୂଜକ ନିରଞ୍ଜନ ମିଶ୍ର, ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ଦେବତା, ଗଙ୍ଗାଧର ପାଣି ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସେବାକାରୀ ଭାବେ ନିଶାକର ବାରିକ, ନାରାୟଣ ବେହେରା, ଉଦ୍ଧବ ରଣା, ଗଦାଧର ବେହେରା ଦାୟୀତ୍ୱ ତୁଲାଉଛନ୍ତି । କାରିଗର ସନାତନ ମହୁରୀଙ୍କ ଦ୍ୱାରା ନିର୍ମିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ଚାନ୍ଦିର ମୁକୁଟ ଓ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ମାଆ ଝଲସୁଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଭାରତୀୟ ମନ୍ଦିର ଶୈଳୀର ବହୁ ସ୍ତରୀୟ ସାଜସଜ୍ଜିତ ପୂଜା ତୋରଣ ନିର୍ମାଣ କରାଯିବା ସହ ରାଜ୍ୟ ରାଜପଥର ଉଭୟ ପାଶ୍ୱର୍କୁ ବିଭିନ୍ନ ରଙ୍ଗୀବେରଙ୍ଗୀ ଆଲୋକମାଳାରେ ସଜ୍ମା ଯାଇଛି । ରବିବାର ସକାଳ ଠାରୁ ମା’ଙ୍କୁ ଦର୍ଶନ ସହିତ ଭୋଗ ଲଗାଇବା ପାଇଁ ମଣ୍ଡପରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ଥିଲା । ଶାନ୍ତି ଶୃଂଖଳାରେ ଦର୍ଶନ ସହିତ ଭୋଗ ଲଗାଇବା ପାଇଁ କମିଟି ଏବଂ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଦୈନିକ ହଜାରେରୁ ୧୫ ଶହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ସୋମବାର ମହାଷ୍ଟମୀ ଓ ସନ୍ଧିପୂଜା ଥିବାରୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହି ପୂଜା ସର୍ବପୁରାତନ ଏବଂ ସଦର ମହକୁମାରେ ହେଉଥିବାରୁ ବନ୍ତ ସମେତ ଆଖପାଖ ପଞ୍ଚାୟତର ଶହ ଶହ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସମସ୍ତ ପୂଜା କାର୍ଯ୍ୟରେ ସାର୍ବଜନୀନ ଦୁର୍ଗା ପୂଜା କମିଟିର ସ୍ଥାୟୀ ସଭାପତି କେଦାରନାଥ ମହାନ୍ତି, ସ୍ଥାୟୀ ସମ୍ପାଦକ ବିଜୟ କୁମାର ମଜୁମଦାର, ପୂଜା କମିଟିର ସଭାପତି କୃପାସିନ୍ଧୁ ସେଠୀ, ସମ୍ପାଦକ ଜ୍ୟୋତି ରଞ୍ଜନ ନାୟକ, ଉପଦେଷ୍ଟା କମିଟିର ଆଲୋକ ରଞ୍ଜନ ମୁଖାର୍ଜୀ, ଶିବ ନାରାୟଣ ପାଣି, ସଞ୍ଜୟ କୁମାର ନାୟକ, ପଞ୍ଚାନନ ନାୟକ, ପ୍ରଶାନ୍ତ କୁମାର ସାହୁ, ସଞ୍ଜୟ ଚଣ୍ଡରାୟ, ହିମାଂଶୁ ଭାଟ୍ଟରାୟ, ଅକ୍ଷୟ ସାମଲ, କ୍ଷୀରୋଦ ନାୟକ, ସୌରଭ ସାହୁଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ