ବିଶ୍ୱ ଜୈବଇନ୍ଧନ ଦିବସ ପାଳିତ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) ପ୍ରତି ବର୍ଷ ଅଗଷ୍ଟ ୧୦ ତାରିଖରେ ବିଶ୍ୱ ଜୈବଇନ୍ଧନ ଦିବସ ପାଳନ କରାଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କୁ ଅଣ ଜୀବାଷ୍ମରୁ ଉତ୍ପାଦିତ ତୈଳ ତଥା ଜୈବ ଇନ୍ଧନର ଉପକାରିତା ବିଷୟରେ ସଚେତନ କରାଇବା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜୈବଇନ୍ଧନ ଉତ୍ପାଦନ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରାଯିବ। ଗତ ୪ ବର୍ଷ ହେଲା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବିଶ୍ୱ ଜୈବଇନ୍ଧନ ଦିବସ ପାଳନ କରିଆସୁଛି । ଚଳିତ ବର୍ଷ ଏହି କାର୍ୟ୍ୟକ୍ରମର ବିଷୟବସ୍ତୁ ହେଉଛି ରନ୍ଧନ ତୈଳରୁ ଜୈବଇନ୍ଧନର ଉତ୍ପାଦନ । ଜୈବଇନ୍ଧନ ଉତ୍ପାଦନ ଦ୍ୱାରା ତୈଳ ଆମଦାନୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ, ଏକ ସ୍ୱଚ୍ଛ ପରିବେଷ ସୃଷ୍ଟି ହେବ ଓ କୃଷକ ମାନଙ୍କର ଆୟ ବଢିବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜୈବଇନ୍ଧନ କାର୍ଯ୍ୟକ୍ରମ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହିତ କରେ, ଯଥା ମେକ ଇନ ଇଣ୍ଡିଆ, ସ୍ୱଚ୍ଛ ଭାରତ ଏବଂ କୃଷକଙ୍କ ଆୟ ବୃଦ୍ଧି । ଜୈବଇନ୍ଧନ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ୨୦୧୪ ରୁ ଅନେକ ପଦକ୍ଷେପ ନିଆଯାଇଛି ।
ଭାରତରେ ରନ୍ଧା ତେଲ ବଳିଯାଇଥିଲେ ଏହାକୁ ପୁଣି ଥରେ ଛଣାଛଣି ପାଇଁ ବ୍ୟବହାର କରାଯାଏ, ଯାହା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ। ଏହି ଛଣା ତେଲରୁ ବାହାରୁଥିବା ଯୌଗିକ, ଉଚ୍ଚ ରକ୍ତଚାପ, ଧମନୀ କାଠିନ୍ୟ, ଆଲଜୈମର ରୋଗ, ଯକୃତ ଜନୀତ ରୋଗ ଭଳି ଅନେକ ରୋଗର କାରଣ ହୋଇପାରେ । ଏହି ବଳକା ତେଲ ଯଦି ବାହାରେ ଫୋପାଡି ଦିଆଯାଏ ତାହା ପରିବେଶ ପାଇଁ କ୍ଷତିକାରକ ହେବା ସହ ନାଳ ଏବଂ ସ୍ୱେରେଜ ଲାଇନକୁ ରୁଦ୍ଧ କରିଦିଏ । ଜୈବଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ମସିହାରେ କେନ୍ଦ୍ର ସରକାର ଏକ ଜାତୀୟ ନିୟମ ଲାଗୁ କରିଥିଲେ । ବଳକା ରନ୍ଧନ ତୈଳର ଅପବ୍ୟବହାରକୁ ରୋକିବା ସହ ଏହି ତେଲରୁ ଜୈବଇନ୍ଧନ ଉତ୍ପାଦନ କରିବା ପାଇଁ ଏଫ୍.ଏସ୍.ଏସ୍.ଏ.ଆଇ (ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ) ବିଭିନ୍ନ ନୀତି ଅବଲମ୍ୱନ କରୁଛି ।
ଏହି ଅବସରରେ ରାଜ୍ୟ ସଭା ଏମପି ତଥା ପଦ୍ମ ବିଭୁଷଣ ଶ୍ରୀ ରଘୁନାଥ ମହାପାତ୍ର ଉପସ୍ଥିତ ରହି ମଂଚର ଶୋଭା ବଢାଇଲେ। ସେ ନିଜର ଅଭିଭାଷଣରେ ଓଡିଶାର କଳାପ୍ରାପ୍ୟର ପୂନରଉଦ୍ଧାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଚାକୁ ଅଶେଷ ପ୍ରଶଂସା କଲେ। ମଂଚରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଆଇଓସିଏଲର ସିଜିଏମ୍ ଶ୍ରୀ ଶୁଭଜିତ ଘୋଷ,ଏସ୍.ବି.ଆଇ ଓଡିଶାର ସିଜିଏମ୍ ଶ୍ରୀମତି ପ୍ରବୀଣା କଳା, ଗେଲ୍ ର ସିଜିଏମ୍ ଶ୍ରୀ ଦିନବନ୍ଧୁ ସୋରେନ, ଏଚ୍.ପି.ସି.ଏଲର ଡିଜିଏମ ଶ୍ରୀ ଅଭ୍ୟଙ୍କର ଦାସ ଆଦି ଉପସ୍ଥିତ ଥିଲେ ।


