ଆସିକା ସହରରେ ମହିଳା ସଶକ୍ତିକରଣ ବାଟବଣା ଅଭିଯୋଗ
ଆସିକା (ୱାଇଏନ୍ଏସ୍) : ମହିଳାମାନେ ସ୍ୱାବଲମ୍ବୀ ହେବେ ଓ ସେମାନଙ୍କ ଜୀବିକାରେ ପରିବର୍ତ୍ତନ ହେବ ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଜେଡି ସରକାର ଅମଳରେ ମିଶନଶକ୍ତି ଗୃହନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଆସିକା ପୌର ପରିଷଦ ପରିସରଭୁକ୍ତ ୫ ନମ୍ବର ୱାର୍ଡର ସହରାଞ୍ଚଳ ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ପାଶ୍ୱର୍ରେ ନିର୍ମାଣ କରାଯାଇଥିବା ମିଶନଶକ୍ତି ଗୃହକୁ ଗତ ୨୦୨୩ ମସିହା ମାର୍ଚ୍ଚ ମାସ ୨୬ ତାରିଖରେ ତତ୍କାଳୀନ ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ତେବେ ଏହି ମିଶନଶକ୍ତି ଗୃହ ଉଦ୍ଘାଟନର ଦୀର୍ଘ ୩ ବର୍ଷ ବିତିଯାଇଥିଲେ ବି କୋଠାରେ ତାଲା ଝୁଲୁଥିଲେ ମଧ୍ୟ ତାହାକୁ ଖୋଲି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ହସ୍ତାନ୍ତର କରି କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ପୌର ପରିଷଦ ଅଧୀନସ୍ଥ ୫ ନମ୍ବର ୱାର୍ଡର ଋଷିକୁଲ୍ୟା ନଦୀକୁ ଯିବା ପାଇଁ ଉଦ୍ଦିଷ୍ଟ ରାସ୍ତା ପାଶ୍ୱର୍ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଗତ କିଛି ବର୍ଷ ତଳେ ସରକାରୀ ଅନୁଦାନରେ ନିର୍ମାଣ କରାଯାଇଥିବା ମିଶନଶକ୍ତି ଗୃହ ଅଲୋଡା ହୋଇ ପଡିରହିବା ସାଙ୍ଗକୁ କାମରେ ଆସୁନଥିବା ଯୋଗୁଁ ମିଶନଶକ୍ତି ମାଧ୍ୟମରେ ନାରୀ ସଶକ୍ତିକରଣ ଯେମିତି ଆସିକା ସହରରେ ବାଟବଣା ହୋଇଯାଇଛି ବୋଲି ସଚେତନ ନାଗରିକ ମହଲରେ ଅଭିଯୋଗ ହେଉଥିବା ଲକ୍ଷ୍ୟ କରାଯାଉଛି । ସରକାର ବଦଳିବା ପରେ ଆସିକା ସହରରେ ମିଶନଶକ୍ତିର ରୂପରେଖ ମଧ୍ୟ କେତେକାଂଶରେ ବଦଳିଯାଇଛି ବୋଲି ଚର୍ଚ୍ଚା ଜୋର୍ ଧରିଥିବା ଦେଖିବାକୁ ମିଳୁଛି । ଆସିକା ସହରରେ ବ୍ୟବହାର ନ ହୋଇ ମାସ ମାସ ଧରି ପରିତ୍ୟକ୍ତ ଅବସ୍ଥାରେ ଅବ୍ୟବହୃତ ହୋଇ ଅଲୋଡା ଅବସ୍ଥାରେ ପଡିରହିଥିବା କେତେକ ମିଶନଶକ୍ତି ଗୃହ ଗୁଡିକର ଭବିଷ୍ୟତ କଣ ହେବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁ ଲକ୍ଷ୍ୟ ଓ ମହତ୍ ଆଭିମୁଖ୍ୟ ରଖି ତତ୍କାଳୀନ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ମିଶନଶକ୍ତି ଗୃହ ନିର୍ମାଣ ସାଂପ୍ରତିକ ପରିସ୍ଥିତିରେ ଆସିକା ସହରରେ ଦିଗହରା ହୋଇପଡିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଆସିକା ପୌର ପରିଷଦ ଅଧୀନସ୍ଥ ରଙ୍କିବନ୍ଧ ନିକଟରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ମିଶନଶକ୍ତି ଗୃହ ମଧ୍ୟ ବ୍ୟବହାର ନହୋଇ ପଡିରହିଥିବା ଦେଖିବାକୁ ମିଳୁଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୫ ନମ୍ବର ୱାର୍ଡର ସୁବର୍ଣ୍ଣପେଟା ସାହି ଛକରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ୭ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ ଅଟକଳରେ ୱାର୍ଡ ନମ୍ବର ୬, ୧୩, ୧୪, ୧୫ ନମ୍ବର ୱାର୍ଡ ପାଇଁ ନିର୍ମାଣ କରାଯାଇଥିବା ମିଶନଶକ୍ତି ଗୃହ ଗୁଡିକରେ ମଧ୍ୟ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ବିଭିନ୍ନ ସାହିବସ୍ତିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ଅଧିକାଂଶ ମିଶନଶକ୍ତି ଗୃହ ମହିଳାମାନଙ୍କ କାମରେ ଆସୁନଥିବା ଅଭିଯୋଗ ହେଉଛି । ଯେଉଁ ମହତ୍ ଲକ୍ଷ୍ୟ ରଖି ଏହା ନିର୍ମାଣ କରାଯାଇଥିଲା ତାହା ବାସ୍ତବରେ କେବେ ଫଳପ୍ରଦ ହେବ ତାହା ସଚେତନ ନାଗରିକ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସହରର ଅଧିକାଂଶ ସ୍ଥାନରେ ମିଶନଶକ୍ତି ଗୃହ ଗୁଡିକରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ ମାସ ମାସ ଧରି ତାଲା ଝୁଲୁଥିଲେ ମଧ୍ୟ ସେଗୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ନପାଇବା ଘଟଣା ସଚେତନ ନାଗିରକଙ୍କୁ ବ୍ୟଥିତ କରିପକାଉଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବନ୍ଦ ହୋଇପଡିରହିଥିବା ମିଶନଶକ୍ତି ଗୃହ ଗୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।


