ମଦ ପିଇଲେ ୫୧ ହଜାର ଟଙ୍କା ଜରିମାନା

ବିହାରର ସମସ୍ତିପୁର ଜିଲ୍ଲାର ଏକ ଗାଁ ଭୋଦଘାଟ । ଏହି ଗାଁରେ ଯିଏ ମଦ ବିକ୍ରି କରିବ କିମ୍ବା ପିଇବ ସେ ୫୧ ହଜାର ଟଙ୍କା ଜରିମାନା ଦେବ ବୋଲି ସର୍ବସମ୍ମତିିକ୍ରମେ ନିଷ୍ପତ୍ତି ନିଆଯାଇଛି । ବିହାରରେ ମଦ ପୂରା ବନ୍ଦ କରାଯାଇଥିଲେ ବି ଲୁଚାଛପାରେ ତାହା ଚାଲିବା ଘଟଣା ବହୁସମୟରେ ନଜରକୁ ଆସୁଛି । ଲୋକମାନେ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଛନ୍ତି ଓ ପିଉଛନ୍ତି । ଖାସ କରି ଯୁବକମାନେ ନିଶାର ଶିକାର ହୋଇ ସେମାନଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି । ଏଣୁ ଗାଁର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । କେବଳ ଏତିକି ନୁହେଁ ଜରିମାନା ଦେବା ସହ ନିଶା କାରବାରରେ ଜଡିତ ବ୍ୟକ୍ତିକୁ ମଧ୍ୟ ପୋଲିସରେ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଜରିମାନାରୁ ଯେଉଁ ଅର୍ଥ ମିଳିବ ତାହାକୁ ଗାଁର ବିକାଶ ପାଇଁ ଖର୍ଚ୍ଚ କରାଯିବ ବୋଲି ସେଠାରେ ନିଶା ନିବାରଣ ଲାଗି ନେତୃତ୍ୱ ନେଉଥିବା ସମାଜସେବୀ ସୁରେଶ ଚୌଧୁରୀ କହିଛନ୍ତି । ଏମିତିକି ଗାଁ ବାହାରେ ଯଦି କେହି ମଦ ପିଇ ଗାଁ ଭିତରକୁ ଆସନ୍ତି ତାଙ୍କୁ ମଧ୍ୟ ଗାଁରେ ପ୍ରବେଶ କରାଇଦିଆଯିବନାହିଁ । ଏତିକିରେ ଭୋଦଘାଟ ଅଟକି ଯାଇନି । ଗାଁରେ ଗୁଟ୍ଖା ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଛି । ଗାଁରେ ଡିଜେ ବି ବାଜିପାରିବନାହିଁ । ଏହି ସବୁ କଟକଣା କିଭଳି କାର୍ଯ୍ୟକାରୀ ହେବ ତାହା ଉପରେ ନଜର ରଖିବା ପାଇଁ ଭୋଦଘାଟରେ ଏକ କମିଟି ଗଢ଼ାଯାଇଛି । ଯେଉଁମାନେ ଗାଁର ନିଷ୍ପତ୍ତିକୁ ଅମାନ୍ୟ କରିବେ ସେମାନଙ୍କୁ ଦଣ୍ଡଦେବାର ଦାୟିତ୍ୱ ଏହି କମିଟିକୁ ଦିଆଯାଇଛି । ଗାଁରୁ ନିଶା ପୂରା ମୂଳପୋଛ ହେବାରେ ଭୋଦଘାଟ ଯେଉଁ ନିଷ୍ପତ୍ତି ନେଇଛି ତାହା କେବଳ ବିହାର ନୁହେଁ ସାରା ଦେଶକୁ ବି ବାଟ ଦେଖାଇବ ବୋଲି କୁହାଯାଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ