ଗାଙ୍ଗପୁର ପଞ୍ଚାୟତରେ ରେକର୍ଡ ସଂଖ୍ୟକ ଆଣ୍ଟିଜେନ୍ ଏବଂ ସ୍ୱାବ୍ ପରୀକ୍ଷା
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଶାସନ ତରଫରୁ ଅଧିକରୁ ଅଧିକ ପରୀକ୍ଷା ଉପରେ ଗୁରୁତ୍ୱ ଦେଉଛି ।ଏହି କ୍ରମରେ ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଆଣ୍ଟିଜେନ୍ ପରୀକ୍ଷା ଏବଂ ସ୍ୱାବ ପରୀକ୍ଷାକୁ ବ୍ୟାପକ କରାଯାଉଛି ।ଯାହାର ସଫଳ ରୁପାୟନ ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକରେ, ଏହି ବ୍ଳକରେ ଗତ ପନ୍ଦର ଦିନ ମଧ୍ୟରେ ପାଖାପାଖି ୧୧୮୪୩ ଆଣ୍ଟିଜେନ୍ ପରୀକ୍ଷା ଓ ୪୧୭ ସ୍ୱାବ୍ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି I ବ୍ଳକର ଗାଙ୍ଗପୁର ପଞ୍ଚାୟତରେ ଗୋଟିଏ ଦିନରେ ୧୦୦୮ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଥିବା ବେଳେ ୨୦ ଜଣଙ୍କ ସ୍ୱାବ୍ ନମୂନା ସଂଗ୍ରହ କରାଯାଇଛି | ପଞ୍ଚାୟତର ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ବୋରି ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଦୁଇ ପରୀକ୍ଷା କେନ୍ଦ୍ରରେ ସକାଳ ୧୦ ଟାରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଏକ ୧୮ ଜଣିଆ ଟିମ୍ ଆଣ୍ଟିଜେନ୍ପ ପରୀକ୍ଷାରେ ନିୟୋଜିତ ଅଛନ୍ତି । ଏଥିରେ ବିଡ଼ିଓ ଶଶୀଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଓ ଏସ ଡି ଓମ ପ୍ରକାଶ ପରିଡା, ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାୟକ , ପି ଈ ଓ ବିଦ୍ୟାଧର ସେଠୀ , ଜୀ ଆର ଏସ ରାମ ଚନ୍ଦ୍ର ପାଣିଗ୍ରାହୀ , ସ୍ୱାସ୍ଥ୍ୟ ବିଭାଗ,ଆଶା ଅଙ୍ଗନବାଡି ସହଯୋଗ କରୁଛନ୍ତି । ପୂର୍ବରୁ ଏହି ପଞ୍ଚାୟତରେ ୮୯୫ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିବା ବେଳେ ଆଜି ୧୦୨୮ କୁ ମିସାଇ ମୋଟ ୧୯୨୩ ଜଣ ଟେଷ୍ଟ କରାଇଛନ୍ତି I ରାଜ୍ୟରେ ଗୋଟିଏ ପଞ୍ଚାୟତରେ ଏହା ସର୍ବାଧିକ, ପୂର୍ବରୁ ପାଇଲିପଡ଼ା ପଞ୍ଚାୟତରେ ୧୨୦୩ ଜଣ ଏବଂ ଖଇରପୁଟ୍ଟିରେ ୮୯୭ ଜଣ ସ୍ୱତଃପ୍ରବୃତ ଭାବେ ନିଜର ପରୀକ୍ଷା କରାଇଥିଲେ , ଯାହାକି ଏକ ରାଜ୍ୟ ସ୍ତରୀୟ ରେକର୍ଡ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି I ପୂର୍ବରୁ ଲୋକେ ଭଞ୍ଜନଗର, ବ୍ରହ୍ମପୁର ଏବଂ ଭୁବନେଶ୍ଵର ଯାଇ କୋଭିଡ ପରୀକ୍ଷା କରାଉଥିଲା ବେଳେ ବର୍ତ୍ତମାନ ନିଜ ତଥା ଘର ପାଖରେ ଆଣ୍ଟିଜେନ୍ ପରୀକ୍ଷା ଏବଂ ସ୍ୱାବ୍ ସଂଗ୍ରହ ହୋଇ ପାରୁଥିବାରୁ ଥିବାରୁ କରୋନା ପରୀକ୍ଷା ପାଇଁ ଲୋକଙ୍କ ସ୍ୱତଃ ଆଗ୍ରହ ବଢୁଥିବା ଦେଖା ଯାଉଛି I