ଫେଲ୍ ମାରିଲା ହାତୀଦାନ୍ତ ଚାଲାଣକାରୀଙ୍କ ଉଦ୍ୟମ;୧୪ଟି ହାତୀଦାନ୍ତ ସହ କାର ଜବଦ, ୩ ଗିରଫ
ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଆନନ୍ଦପୁର୍ ଓ ହରିଚନ୍ଦନପୁର ବନବିଭାଗର ମିଳିତ ଉଦ୍ୟମରେ ହାତୀଦାନ୍ତ ଚୋରା ଚାଲାଣ କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ସମ୍ପୁର୍ଣ୍ଣ ଖବର ଅନୁସାରେ ଗତକାଲି ଆନନ୍ଦପୁର ଡିଏଫଓ ଅଜିତ୍ କୁମାର ସତପଥି ହରିଚନ୍ଦନପୁର ଅଂଚଳରେ ହାତୀଦାନ୍ତ ଚୋରା ଚାଲାଣ ହେଉଥିବା ଖବର ପାଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଆନନ୍ଦପୁର ଏବଂ ହରିଚନ୍ଦନପୁର ବନ ବିଭାଗ କର୍ମଚାରୀ ମିଳିତ ଭାବେ ଗୋଟିଏ ଟିମ୍ କରି ହାତୀଦାନ୍ତ ଚୋରା ଚାଲାଣକାରୀଙ୍କ ପିଛା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇ ବନ ବିଭାଗ କର୍ମଚାରୀମାନେ ମିଳିତ ହୋଇ ହାତୀଦାନ୍ତ ଚୋରା ଚାଲାଣକାରୀଙ୍କ ପିଛା କରି ହରିଚନ୍ଦନପୁର ଅଧିନସ୍ଥ ପିଟାଟାଙ୍ଗର ଗାଁ ନିକଟରୁ ପ୍ରଥମେ ହାତୀଦାନ୍ତ ଗୁଡିକୁ ଜବଦ କରିଥିଲେ । ତାସହିତ ବନ ବିଭାଗର ଚଢାଉ କରୁଥିବାର ଖବର ପାଇ ଚାଲାଣକାରୀ ମାନେ ଗାଁରୁ ଏକ କାର ସାହାଯ୍ୟରେ ଖସି ପଳାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ବନ ବିଭାଗ କର୍ମଚାରୀ ମାନେ କାର୍ଟିକୁ ପାଖାପାଖି ୮ କିଲୋମିଟର ପିଛା କରି ନନ୍ଦରା ଗ୍ରାମ ନିକଟରରେ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ । ଏଥିସହ ଘଟଣା ସ୍ଥଳରୁ ୧୯ କେଜି ଓଜନର ୧୪ଟି ହାତି ଦାନ୍ତ ଓ ଗୋଟିଏ କାର(ଓଡି-୨୨-ଏନ୍-୮୫୨୪) ସହ ୪ଟି ମୋବାଇଲ୍ ଫୋନ୍ ଜବଦ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବନ ବିଭାଗର ଏଭଳି କାର୍ଯ୍ୟକୁ ସାରା କେନ୍ଦୁଝର ଜିଲ୍ଲାରେ ପ୍ରସଂସା ବାର୍ତା ଆସିବା ସହ ବର୍ତମାନ ସ୍ଥାନୀୟ ଅଂଚଳରେ ବନ ବିଭାଗ କର୍ମଚାରୀଙ୍କ ଏଭଳି କାମକୁ ନେଇ ଚର୍ଚ୍ଚା ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି ।


