ପଞ୍ଚାୟତ ହାଇସ୍କୁଲରେ ବିଶ୍ୱ ସଂସ୍କୃତ ଦିବସ ପାଳିତ
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବସନ୍ତିଆ ପଞ୍ଚାୟତ ହାଇସ୍କୁଲରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସଂସ୍କୃତ ପତାକା ଉତ୍ତୋଳନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ ଓ ସଂସ୍କୃତ ଶିକ୍ଷକ ଆଲୋକ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବିଷ୍ଣୁ ମୋହନ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ, ଶିକ୍ଷାବିତ୍ ଲକ୍ଷ୍ମୀଧର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଣ୍ଡା, ବରିଷ୍ଠ ଶିକ୍ଷକ ପଦ୍ମନାଭ ବେହେରା, ଗଂଗାଧର ରାଉତ, ସସ୍ମିତା ମହାନ୍ତି, ସ୍ୱାଗତିକା ମଲ୍ଲିକ ଯୋଗ ଦେଇ ବିଶ୍ୱଭାଷା ସଂସ୍କୃତ ପ୍ରାଚୀନ ସର୍ବ ପୁରାତନ ଭାଷା ହେଲେ ମଧ୍ୟ ଏହା ବିଜ୍ଞାନ ସମ୍ମତ ଭାଷା ହୋଇଥିବାରୁ ଏହା ସାରା ବିଶ୍ୱରେ ଆଦୃତ ହେଉଛି ବୋଲି କହିଥିଲେ । ସଂସ୍କୃତ ଶିକ୍ଷକ ଆଲୋକ କୁମାର ପ୍ରଧାନ ବେଦପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ କଲ୍ୟାଣ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ସଂସ୍କୃତ ତର୍କ, ସଂଗୀତ, କୁଇଜ୍, ସ୍ତ୍ରୋତ୍ର ପାଠ, ଗୀତା ପାଠ ଆଦି ପ୍ରତିଯୋଗିତାରେ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ନାରାୟଣ ଚନ୍ଦ୍ର ପୃଷ୍ଟି, ନନ୍ଦ କିଶୋର ପଣ୍ଡା, ବାବୁରାମ ସାହୁ, ତ୍ରିଲୋଚନ ଦାସ ସହାୟତା କରିଥିଲେ ।