ରାୟପୁର ବସ୍ ଦୁର୍ଘଟଣା;ହିଞ୍ଜିଳିରେ ପହଞ୍ଚିଲା ଶବ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ୭୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ସୁରତ ଅଭିମୁଖେ ଯାତ୍ରା କରିଥିବା ଏକ ଯାତ୍ରୀବାହୀ ବସ୍ ଶନିବାର ଭୋର ୩ ଟା ସମୟରେ ଛତିଶଗଡ଼ ରାଜ୍ୟର ରାୟପୁର ଚେରିଖେଡି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨୫ ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ।ବସ୍ ଟି ଏକ ଟ୍ରକକୁ ଓଭେରଟେକ କରୁଥିବା ବେଳେ ସମ୍ମୁଖପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ଏକ ଦୁଃଖଦ ଘଟଣା ଘଟିଛି।ଦୁର୍ଘଟଣାରେ ୮ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, ଆସିକା, ସୋରଡା ଏବଂ ଛତ୍ରପୁର ବ୍ଲକ ଅଞ୍ଚଳ ସମେତ ସ୍ଥାନୀୟ ହିଞ୍ଜିଳି ବ୍ଲକ ବାଦୀ ଆମ୍ବଗାଁର ଜଣେ ପ୍ରବାସୀ ଥିବା ଜଣାପଡିଛି।ଛତିଶଗଡ଼ ସରକାରଙ୍କ ପକ୍ଷରୁ ମୃତ ଦେହ ଗୁଡିକୁ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ଭିଟା ମାଟିକୁ ପଠାଇବା ବ୍ୟବସ୍ଥା କରାଯାଇଛି। ରବିବାର ପ୍ରାୟ ୧୧.୩୦ ସମୟରେ ମୃତ କୈଳାସ ଜେନା (୩୬)ଙ୍କ ଶବ ନିଜ ପୈତୃକ ଗ୍ରାମ ବାଦୀ ଆମ୍ବ ଗାଁ ରେ ଆସି ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସଭ୍ୟ ପ୍ରତିନିଧି ମନୋଜ କୁମାର ସାବତ ଓ ରାଜସ୍ୱ ନିରୀକ୍ଷକ ମଞ୍ଜୁଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମୃତ କୈଳାସଙ୍କ ଶୋକସନ୍ତପ୍ତ ପରିବାରକୁ ସେମାନେ ଗଭୀର ସମବେଦନା ଜ୍ଞାପନ କରିଥିଲେ। ଉପ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଏକ ଚେକ ମୃତକର ବାପା ତ୍ରିନାଥକୁ ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୨ ଲକ୍ଷ ଟଙ୍କାର ଅବଶିଷ୍ଟ ଅନୁକମ୍ପା ରାଶି ସାତ ଦିନ ମଧ୍ୟରେ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ରୋଜଗାରିଆ ପୁଅକୁ ହରାଇ ତ୍ରିନାଥଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଏକ ଶୋକକୁଳ ପରିବେଶରେ ଗ୍ରାମ ସ୍ମଶାନରେ ମୃତ କୈଳାସଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି।ଘଟଣା ପରେ ଅଞ୍ଚଳରେ ଗମ୍ଭୀର ବାତାବରଣ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ