ଡକାୟତି ମାମଲା ;ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍) :ଦିଗପହଣ୍ଡି ନିକଟ ଚାନ୍ଦପୁର ଛକ ପତ୍ରଚୁଡି ଗ୍ରାମ ନିକଟରେ ୨ ଟି ବାଲି ବୋଝେଇ ଟ୍ରକ କୁ ଅଟକାଇବା ସହ ଚାଳକ ଙ୍କୁ ମାଡ଼ ମାରି ଡକାୟତି ମାମଲାରେ ଫେରାର ଥିବା ଜରଡ଼ା ଥାନା ଖାରିଆ ଗୁଡ଼ା ଗାଁ ର ନୀପୁ ଓରଫ ନିରଞ୍ଜନ ଗୌଡ ଙ୍କୁ ବୁଧବାର ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଥାନା ମାମଲା ନଂ.୧୭୫/୨୦ ଦଫା -୩୯୫ ଆଇ ପି ସି , ବିସ୍ଫୋରଣ ନିରୋଧ ଆଇନର ଧାରା – ୪ଓ୫ ସମେତ ଅସ୍ତ୍ର ଶସ୍ତ୍ର ନିୟନ୍ତ୍ରଣ ଆଇନର ଧାରା- ୨୫/୨୭ ସମେତ ଅନୁଯାୟୀ ଜାମିନ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ମାମଲାରେ ସମ୍ପୃକ୍ତ ଥିବା ଖରିଆ ଗୁଡ଼ା ଗାଁର ପେଶାଦାର ଅପରାଧୀ ଠେସା କାଳିଆ ଓରଫ କେଶବ ଚନ୍ଦ୍ର କୁଣ୍ଡ ଙ୍କୁ ଗିରଫ କରି ପୋଲିସ ଏହି ମାମଲାରେ କୋର୍ଟ ଚାଲାଣ କରିଥିଲେ। ସେହିପରି ପୂର୍ବରୁ ବଡ଼କେଳାଝରୀ ଗ୍ରାମର ଜଣେ ନାବାଳକ ଙ୍କୁ ବ୍ରହ୍ମପୁର ସ୍ଥିତ ଯୁଭେନାଇଲ ଜଷ୍ଟିସ ବୋର୍ଡ଼ ରେ ହାଜର କରାଯିବା ପରେ ତାଙ୍କୁ ବାଳସୁଧାର ଗୃହ କୁ ପଠାଇ ଦିଆଯାଇଥିଲା।ଅନ୍ୟତମ ଅଭିଯୁକ୍ତ କୁମରଡା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ପ୍ରଧାନ ଙ୍କ ନିକଟରୁ ୨ ଟି ବୋମା,୨ ଟି ମୋବାଇଲ ଫୋନ୍ ଜବତ କରାଯାଇଥିବା ବେଳେ କଳିଙ୍ଗ ଦଳା ଗ୍ରାମର ଚିନ୍ମୟ ପ୍ରଧାନ ଙ୍କ ନିକଟରୁ ଡକାୟତି ମାମଲାରେ ବ୍ୟବହୃତ ଟିଭିଏସ ବାଇକ୍ ନଂ.( ଓଡି ୦୭ ବି- ୨୦୨୩)୧୨ ଶହ ଟଙ୍କା ଏବଂ ନାବାଳକଙ୍କ ଠାରୁ ଖଣ୍ଡା,୧୬ ଶହ ଟଙ୍କା ଜବତ କରାଯାଇଥିଲା।ଗତ ଅଗଷ୍ଟ ୧୬ ତାରିଖ ରାତି ପ୍ରାୟ ୧୧ ଟା ରେ ଝାଡ଼ଖଣ୍ଡ ଛତ୍ରା ଜିଲା ଜାହୁରି ଗ୍ରାମର ଗାଡି ଚାଳକ ଦୂର୍ଗେଶ ରାଣା ଏବଂ ତାଙ୍କ ସାଙ୍ଗ ଅନ୍ୟତମ ଗାଡି ଚାଳକ ଛତ୍ରା ଥାନା ଜାରିଆଦୁ ଗ୍ରାମର ବୀରବଲ୍ ସାହୁ ବାଲି ବୋଝେଇ ଟ୍ରକ ନେଇ ବଜ୍ରଗୁମ୍ମା ଗାଁ ରୁ ଚିକିଟି ଗ୍ରାମ ଅଭିମୁଖେ ଯାଉଥିବା ବେଳେ ପତ୍ରଚୁଡ଼ି ଗ୍ରାମ ନିକଟରେ ୨ ଟି ଟ୍ରକ୍ କୁ ଅଭିଯୁକ୍ତମାନେ ଜବରଦସ୍ତ ଅଟକାଇ ସେମାନଙ୍କୁ ଖଣ୍ଡା ଓ ବୋମା ଦେଖାଇ ୨୦ ହଜାର ଟଙ୍କା ମାଗିଥିଲେ। ଆମ ନିକଟରେ ଟଙ୍କା ନାହିଁ କହିବାରୁ ସେମାନେ ଉଭୟଙ୍କୁ ମାଡ଼ ମାରି ୨୮ ଶହ ଟଙ୍କା ଓ ୨ ଟି ମୋବାଇଲ ଫୋନ ଛଡାଇ ଚମ୍ପଟ ମାରିଥିଲେ ବୋଲି ତଦନ୍ତରୁ ଜଣାପଡିଥିବା କେ. ନୂଆଗାଁ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ଜଣାଇଛନ୍ତି।


