ଟାର୍ଗେଟ୍ ରେ ଜମାକାରୀ ; ଲୁଟେରାଙ୍କ ଛିନତାଇ ଉଦ୍ୟମ ବିଫଳ
ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ରେ ଲୁଟେରାଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି । ଗତ କିଛିଦିନ ହେଲା ସମଗ୍ର ସହରାଞ୍ଚଳକୁ ଲୁଟେରା ମାନେ ଚରାଭୂଇଁ କରିଦେଇଛନ୍ତି । କିଛିଦିନର ନିରବତା ପରେ ସୋମବାର ସ୍ଥାନୀୟ ଜନତା ଲେନ ପତିତ ପାବନ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ଠାରୁ ୨ ଲୁଟେରା ଲକ୍ଷାଧିକ ଟଙ୍କା ଲୁଟି ନେବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଦିବା ଲୋକରେ ଏହି ସ୍ପର୍ଶ କାତର ଘଟଣା ଘଟିଛି । ପୂର୍ବାହ୍ନ ପ୍ରାୟ ୧୧ ଟା ରେ ଗୋକର୍ଣ୍ଣପୁର ଗ୍ରାମର ଚିନାରି.ଲକ୍ଷ୍ମୀ ପାତ୍ର ତାଙ୍କ ଝିଅ ସହ ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ପହଞ୍ଚି ଜମା ଖାତା ରୁ ୧ ଲକ୍ଷ ୧୦ ହଜାର ଟଙ୍କା ଉଠାଣ କରି ଲୁଗା କିଣିବା ପାଇଁ ଯାଉଥିଲେ । ଦିଗପହଣ୍ଡି ମୁଖ୍ୟରାସ୍ତାର ଷ୍ଟେଟ ବ୍ୟାଙ୍କ କଡ଼ରେ ଥିବା ଶୋଭା ବାର ଓ ରେଷ୍ଟୁରାଣ୍ଟ ବିଦେଶୀ ମଦ ଦୋକାନ ନିକଟରେ ଠିଆ ହୋଇଥିବା ନିଶାଗ୍ରସ୍ତ ୨ ଜଣ ଯୁବକ ଏକ ବାଇକ୍ ରେ ଉଭୟଙ୍କୁ ପିଛା କରିଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ କହିଛନ୍ତି । ସୁଯୋଗ ଉଣ୍ଡି ଲୁଟେରା ଦ୍ୱୟ ମନ୍ଦିର ନିକଟରେ ଲକ୍ଷ୍ମୀଙ୍କ ଝିଅ ଧରିଥିବା ଟଙ୍କା ଭର୍ତି ବ୍ୟାଗ କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଝିଅ ଟଙ୍କା ବ୍ୟାଗ ଟିକୁ ନଛାଡିବାରୁ ଲୁଟେରା ଦ୍ୱୟଙ୍କ ମଧ୍ୟରେ ତାଙ୍କର କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ଆଖପାଖର ଲୋକେ ପାଟି ଶୁଣି ଘଟଣା ସ୍ଥଳକୁ ଦୋୖଡି ଆସିବାରୁ ଲୁଟେରା ଦ୍ୱୟ ବାଇକ୍ ଯୋଗେ ଆଖି ପିଛୁଳାକେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଖବରପାଇ ଦିଗପହଣ୍ଡି ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଲୁଟେରା ଦ୍ୱୟଙ୍କୁ ପିଛା କରିଥିଲେ ମଧ୍ୟ କୌଣସି ସୁରାକ ମିଳି ନଥିବା ଜଣାପଡ଼ିଛି ।


