ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ‘ବେସ୍ଲାଇନ୍’ ପରୀକ୍ଷା
ଆସିକା (ୱାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲା ଶିକ୍ଷାବିଭାଗର ଏକ ନିଆରା ତଥା ଅଭିନବ ପଦକ୍ଷେପ ସ୍ୱରୂପ ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଶନିବାର ଠାରୁ ଆସିକାର ୩୩ଟି ମାଧ୍ୟମିକ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ବେସ୍ଲାଇନ୍ ପରୀକ୍ଷା ଆରମ୍ଭ ହୋଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଆଗାମୀ ମାଟ୍ରିକ ବୋର୍ଡ ପରୀକ୍ଷା ଦେବା ପାଇଁ ପାଠ ପଢୁଥିବା ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କ ସକାଶେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ବେସ୍ଲାଇନ୍ ପରୀକ୍ଷାର ପ୍ରଥମ ଦିନରେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାହିତ୍ୟ ଓ ଗଣିତ ପାଠ୍ୟକ୍ରମ ବିଷୟରେ ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ । ଏହି ପରୀକ୍ଷା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶକ୍ରମେ ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଞ୍ଚଳରେ ଥିବା ୩୩ଟି ମାଧ୍ୟମିକ ବିଦ୍ୟାଳୟରେ ଏହି ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପୂର୍ଣ୍ଣ ଉପସ୍ଥାନ ଦିବସ ମଧ୍ୟ ପାଳନ କରାଯାଇଥିଲା । ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟର ମୋଟ ୨୫ ମାର୍କ ବିଶିଷ୍ଟ ବହୁ ବିକଳ୍ପ ପ୍ରଶ୍ନର ଉତ୍ତର ଏବଂ ୨୫ ମାର୍କ ଦୀର୍ଘ ପ୍ରଶ୍ନର ଉତ୍ତର ସଂକ୍ରାନ୍ତୀୟ ବେସ୍ଲାଇନ୍ ପରୀକ୍ଷା ଦେଇଥିଲେ ଓ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ୧ ଘଣ୍ଟା ୧୫ ମିନଟ ସମୟ ଦିଆଯାଇଥିଲା । ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର ୩୩ଟି ମାଧ୍ୟମିକ ବିଦ୍ୟାଳୟସ୍ତରରେ ଏହି ବେସ୍ଲାଇନ୍ ପରୀକ୍ଷାର ଫଳାଫଳ ବିଶ୍ଳେଷଣ ଆଗାମୀ ୮ ତାରିଖ ସୁଦ୍ଧା ଶେଷ କରି ୧୦ ତାରିଖ ସୁଦ୍ଧା ଜିଲ୍ଲା ଶିକ୍ଷା ବିଭାଗକୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ସହ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଡଃ. ପ୍ରଭାତୀ ମହାପାତ୍ର, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀ, ନୋଡାଲ୍ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକାରେ ଆରମ୍ଭ ହୋଇଥିବା ଏହି ବେସ୍ଲାଇନ୍ ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ସୁଶାନ୍ତ କୁମାର ପଣ୍ଡା, ରଜନୀରାଣୀ ଦାଶ, ଅବନୀକାନ୍ତ ତ୍ରିପାଠୀ, ମିନତୀ କୁମାରୀ ପାତ୍ର, ବାଣିଶ୍ରୀ ପଣ୍ଡା, ଅଶୋକ କୁମାର କହଁର, ଭଗବାନ ସ୍ୱାଇଁ, ପରମାନନ୍ଦ ଜାନି, ଗୌରୀ ଶଙ୍କର ଗୌଡ, ରାମକୃଷ୍ଣ ପଣ୍ଡା, ଚିତ୍ତରଂଜନ ଷଡଙ୍ଗୀଙ୍କ ସମେତ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକମାନେ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଲାଗି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସକୁ ସଚେତନ ନାଗରିକ, ବୁଦ୍ଧିଜିବୀ ଓ ଅଭିଭାବକଙ୍କ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ଏହା ଦ୍ୱାରା ଶିକ୍ଷାର୍ଥୀମାନଙ୍କ ଆଗାମୀ ମାଟ୍ରିକ ପରୀକ୍ଷା ପ୍ରତି ଆତ୍ମ ବିଶ୍ୱାସ ଆହୁରି ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି ।


