ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୪ ଓ ୫ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଥିବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାନ୍ୟବର ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ଠାରୁ ଆରମ୍ଭ କରି ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଓ ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଥିଲେ ଯେ, ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଆଗମନ ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ପାଇଁ ଗର୍ବ ଓ ଗୌରବର ବିଷୟ। ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ ରିହର୍ସାଲ ଅନୁଷ୍ଠିତ ହେବ। ମାନ୍ୟବର ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯେଉଁ ରୁଟ୍‌ରେ ଯାତାୟାତ କରିବେ, ସେହି ରାସ୍ତାର ପରିଷ୍କାର-ପରିଚ୍ଛନ୍ନତା, ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ, ଅସ୍ଥାୟୀ ଭେଣ୍ଡିଂ ଦୋକାନଗୁଡ଼ିକର ସ୍ଥାନାନ୍ତରଣ ଆଦି ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେବା ସହ ଏଥିପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ମାନ୍ୟବର ରାଷ୍ଟ୍ରପତିଙ୍କ ସହ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା ଶ୍ରବଣା ବିବେକ ଏମ୍. ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିଶି ସୂଚନା ଦେଇଥିଲେ। ଖୁବ୍ ଶୀଘ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯିବ ବୋଲି ମଧ୍ୟ ସେମାନେ କହିଥିଲେ। ଜିଲ୍ଲାପାଳ ବିଭିନ୍ନ ବିଭାଗକୁ ନ୍ୟସ୍ତ ଦାୟିତ୍ୱଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାନ୍ୟବର ରାଷ୍ଟ୍ରପତି ୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ମିନିଟ ସମୟରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ତପ୍ତପାଣି ଅଭିମୁଖେ ଯାତ୍ରା କରି ଅପରାହ୍ନ ପ୍ରାୟ ୩ଟା ୧୦ ମିନିଟ ସମୟରେ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ପୂଜାର୍ଚ୍ଚନା ପରେ ସେ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ। ପରଦିନ ପୂର୍ବାହ୍ନ ପ୍ରାୟ ୧୦ଟା ୨୦ ମିନିଟ ସମୟରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ