ଆବାସ ଗୃହ ପାଇଁ ଆବେଦନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ଗ୍ରାମାଞ୍ଚଳ ମାନଙ୍କରେ ପକ୍କାଘର ନିର୍ମାଣ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । କୌଣସି ଯୋଗ୍ୟ ହିତାଧିକାରୀ ଯେଭଳି ଯୋଜନାରୁ ବାଦ ନପଡନ୍ତି ସେଥିପାଇଁ ଅମଲାତନ୍ତ୍ର ସ୍ତରରେ ବିଭିନ୍ନ କ୍ଷତ୍ରୀୟ ଅନୁଧ୍ୟାନ ମଧ୍ୟ କରାଯାଉଛି । ଏହା ସତ୍ତ୍ୱେ କେଉଁଠି ନା କେଉଁଠି ଯୋଗ୍ୟ ତାଲିକାରୁ ଗ୍ରାମାଞ୍ଚଳର ଖଟିଖିଆ, ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ହିତାଧିକାରୀ ଯୋଗ୍ୟ ତାଲିକାରୁ ବାଦ ପଡୁଛନ୍ତି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ରାଜେନ୍ଦ୍ରପୁର ଗ୍ରାମର ଅଭିରାମ ପରିଡା ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି ଅଟନ୍ତି । ବୟସ ତାଙ୍କର ୬୦ଡେଇଁଯାଇଥିବାବେଳେ ଏକ ଝାଟିମାଟି ଚାଳଘରେ ସପରିବାର ବସବାସ କରୁଛନ୍ତି । ଖରାଦିନକୁ ଛାଡିଦେଲେ ଅନ୍ୟଦିନ ମାନଙ୍କରେ ଝାଟିମାଟି ଘରେ ଚଳାଚଳି କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ସରକାରୀ ସହାୟତା କହିଲେ କେବଳ ରାସନକାର୍ଡ ଖଣ୍ଡିଏ ମିଳିଥିବାବେଳେ ପକ୍କାଘର ଖଣ୍ଡିଏ ପାଇଁ ବିଭିନ୍ନ ସମୟରେ ସେ ଅନୁରୋଧ କରୁଥିଲେ ମଧ୍ୟ ଅଧିକାରୀମାନେ ତାଙ୍କ ନାମକୁ ତାଲିକା ଭୁକ୍ତ କରୁନାହାଁନ୍ତି । ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ସେ ଏବିଷୟରେ ଅବଗତ କରିଥିବାବେଳେ ସେ ବିଡିଓଙ୍କୁ ଭେଟିବା ପାଇଁ କହିଥିଲେ । ତେଣୁ ଅଭିରାମ ଆଜି ପକ୍କା ଘର ଖଣ୍ଡିଏ ପାଇବାର ସ୍ୱପ୍ନ ନେଇ ବିଡିଓଙ୍କୁ ଭେଟି ଆବେଦନ ପତ୍ରଟିଏ ପ୍ରଦାନ କରିଛନ୍ତି । ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମତାମତ ନେବାରୁ ସେ କୁହନ୍ତି ଯଦି ତାଙ୍କର ଜିଓଟ୍ୟାଗ ବେଳେ ନାମ ପ୍ରକାଶ ପାଇନଥିବ ତାହେଲେ ଏବେ ନୂଆସୂଚିରେ ତାଙ୍କୁ ଅନ୍ତର୍ଭୁକ୍ତ କରାଯାଇ ବାସଗୃହ ଯୋଗାଇଦିଆଯିବ ।


