ଦଳ ଛାଡ଼ିଲେ ଦିଲ୍ଲୀ ଆପ୍ ବିଧାୟିକା ଅଳକା ଲାମ୍ବା
ନୂଆଦିଲ୍ଲୀ : ଦିଲ୍ଲୀ ଆପ୍ ବିଧାୟିକା ଅଳକା ଲାମ୍ବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଆଜି ଦଳ ଛାଡ଼ି ଦେଇଛନ୍ତି । ଏକ ଟ୍ୱିଟ୍ କରି ଲାମ୍ବା କହିଛନ୍ତି, ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ତାଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଅଳକା ଲାମ୍ବା ନିକଟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଥିବାରୁ ସେ କଂଗ୍ରେସରେ ଯୋଗ ଦେବେ ବୋଲି କୁହାଯାଉଛି । ଅଳକାଙ୍କ କହିବା ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ବହୁତ କିଛି ଶିଖିବାକୁ ମିଳିଛି । ଲାମ୍ବା ୨୦୧୩ରେ ଆପ୍ରେ ଯୋଗ ଦେବା ପୂର୍ବରୁ କଂଗ୍ରେସରେ ଦୀର୍ଘ ୨୦ ବର୍ଷ ଧରି ଥିଲେ । ଗତ କିଛି ଦିନ ଧରି ସେ ଆପ୍ ଏବଂ ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ । ଏପରିକି ସେ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଦଳ ପାଇଁ ପ୍ରଚାର କରିନଥିଲେ ।


