୨୦୨୨ ସୁଦ୍ଧା ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନାକ୍ ମାନ୍ୟତା

ଭୁବନେଶ୍ୱର ,  (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ୨୦୨୨ ସୁଦ୍ଧା ନାକ୍ ମାନ୍ୟତା ହାସଲ କରିବେ । ମାନ୍ୟତା ପାଇବା ଲାଗି ଯେଉଁ ମାନଦଣ୍ଡ ରଖାଯାଇଛି ସେହି ଆବଶ୍ୟକତା ପୂରଣ କରିବା ଦିଗରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ପଦକ୍ଷେପ ନେବା ଜରୁରୀ ବୋଲି କୁଳପତିମାନଙ୍କ ସମ୍ମିଳନୀରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଟ୍ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଏହି ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଲେ ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ପ୍ରତି ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଇଣ୍ଟରନାଲ କ୍ୱାଲିଟି ଆସୁରାନ୍ସ ସେଲ ପ୍ରତିଷ୍ଠା କରାଯିବା ସହ ଏହାକୁ ସୁଦୃଢ଼ କରାଯିବ । ଏହି ସେଲ ଶିକ୍ଷାନୁଷ୍ଠାନର ନାକ୍ ମାନ୍ୟତା ହାସଲ ଦିଗରେ ସମସ୍ତ ଦସ୍ତାବିଜ ପ୍ରସ୍ତୁତ କରିବ । ଏଥିସହ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସ୍ତରରେ କର୍ମଶାଳା ଆୟୋଜନ ସହ ଏକ ମାଷ୍ଟର ଡାଟାବେସ୍ ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଥିଲେ । ଏହି ଅବସରରେ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ କିଭଳି ନାକ୍ ମାନ୍ୟତା ହାସଲ କରିପାରିବେ, ସେ ଦିଗରେ ନାକ୍ ସଦସ୍ୟମାନେ ଆବଶ୍ୟକ ପରାମର୍ଶ ଦେଇଥିଲେ । ବୈଠକରେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ, ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ନାକ୍ର ସଦସ୍ୟମାନେ ଯୋଗ ଦେଇଥିଲେ ।ସୂଚନାଯୋଗ୍ୟ ଯେ ନାକ୍ ପକ୍ଷରୁ ପ୍ରତ୍ୟେକ ରାଜ୍ୟସ୍ତରରେ ରିପୋର୍ଟ ପ୍ରସ୍ତୁତ କରାଯାଉଛି । ଓଡ଼ିଶା ଦେଶର ୧୪ତମ ରାଜ୍ୟ, ଯାହାର ରିପୋର୍ଟ ପ୍ରସ୍ତୁତ ହେଉଛି । ଏଥିରେ ଓଡ଼ିଶା ଭୌଗୋଳିକ ସ୍ଥିତି, ଉଚ୍ଚଶିକ୍ଷାର ମାନ, ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟ ନାକ୍ ମାନ୍ୟତାର ସ୍ଥିତି, ଜାତୀୟ ସ୍ତରରେ ସ୍ଥିତି ଓ ଶିକ୍ଷାନୁଷ୍ଠାନର ନାକ୍ ମାନ୍ୟତାକୁ ବୃଦ୍ଧି ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନାକ୍ ମାନ୍ୟତା ପାଇବା ଦିଗରେ ଏକ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ