କରୋନା ବଦଳାଇ ଦେଲା ପରିଚୟ

କଟକ,(ୱାଇଏନ୍ଏସ୍): ନିଜର ନିଶା ଆଉ ପେସା ଥିଲା ସଂଗୀତ। ଜଣେ କଣ୍ଠଶିଳ୍ପୀ ଭାବେ ନିଜର ପରିଚୟ ବି ସୃଷ୍ଟି କରିଥିଲେ । କିନ୍ତୁ କରୋନା ତାଙ୍କର ପେସା ବଦଳାଇ ଦେଲା। ଯେଉଁ ସମୟରେ ମେଲୋଡି ଓ ସଂଗୀତ କାର୍ଯ୍ୟକ୍ରମ ବର୍ଷକର ଆୟର ବ୍ୟବସ୍ଥା କରେ ସେ ସମୟରେ କରୋନା ପାଇଁ ସବୁ ବନ୍ଦ ହେଇଗଲା । ଗଣେଶ ପୂଜାରୁ ଏଯାଏ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବା ବେଳେ ବାଲିଯାତ୍ରା ବା କାର୍ତ୍ତିକେଶ୍ବର ପୂଜା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନର ସୁଯୋଗ ବି ନାହିଁ । ପୁଣି ବର୍ଷକ ପରେ ଯାହା କିଛି । ଏଭଳି ସ୍ଥିତିରେ ପେସା ବଦଳାଇ ଏବେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । କଟକ ମହାନଗରରେ ତାଙ୍କୁ କୁହାଯାଉଛି ପ୍ରଥମ ଡେଲିଭରି ଲେଡି । ନିଜର ଏଭଳି ନିଆରା ପରିଚୟ ସୃଷ୍ଟି କରିଥିବା ୪୨ ବର୍ଷ ବୟସ୍କା ଜ୍ୟୋସ୍ନା ପାତ୍ର ହେଉଛନ୍ତି ଝାଞ୍ଜିରୀମଙ୍ଗଳା ଲୁଣିଆ ସାହିର ବାସିନ୍ଦା । ଗଲା ୧୫ ବର୍ଷ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ୟାସେଟରେ ଗୀତ ଗାଇ ଆସୁଥିବାବେଳେ ଏବେ ଜ୍ୟୋତ୍ସ୍ନା ଘର ଘର ବୁଲି ଅନ୍‌ଲାଇନରେ ଆସୁଥିବା ବିଭିନ୍ନ ସାମଗ୍ରୀ ଡେଲିଭରି କରୁଛନ୍ତି । ଗଲା ୬ ମାସ ହେଲା କରୋନା ପାଇଁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ସବୁକିଛି ଓଲଟପାଲଟ କରି ଦେଇଛି। ତୁରନ୍ତ ବିକଳ୍ପ ରୋଜଗାର ପାଇଁ ଏହି ଡେଲିଭରି କାମକୁ ବାଛିବାକୁ ପଡିଲା। ପ୍ରଥମେ ଏହି କାମ ବହୁ କଷ୍ଟ ଦେଇଥିଲା। ହେଲେ ଝିଅ ମୁହଁକୁ ଚାହିଁ ନିଜକୁ ଦୃଢ କଲି। ଏବେ ଏ କାମରେ ବେଶ ସହଜ ହୋଇଗଲେଣି। କଟକ ସହରରେ ସବୁ ବେଳେ ଗ୍ରାହକ ମାନଙ୍କ ଠାରୁ ଭଲ ବ୍ୟବହାର ମିଳିଥାଏ। ମହିଳା ଭାବେ ଏ କାର୍ଯ୍ୟ କରୁଥିବାରୁ ଅନେକ ବି ସମ୍ମାନ ମଧ୍ୟ କରନ୍ତି। ଆଗାମୀ ଦିନରେ କରୋନା ସ୍ଥିତି ସୁଧୁରିଲେ ଗୀତ ଗାଇବା ସହ ଏହି କାମ ବି ଜାରି ରଖି‌ବେ ବୋଲି କୁହନ୍ତି ଜ୍ୟୋତ୍ସ୍ନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ