ଜଳନ୍ତା କାର୍‌ ନିକଟରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

କଟକ, (ଓ୍ବାଇଏନଏସ): କଟକର ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ କାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିବା ସହ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଜଳିଯାଇଥିବା କାର୍‌ଠାରୁ ପ୍ରାୟ ୪ରୁ ୫ ଫୁଟ ଦୂରରେ ମୃତଦେହ ପଡ଼ିଥିବାରୁ ଘଟଣାକୁ ନେଇ ରହସ୍ୟ ଘନୀଭୂତ ହୋଇଛି। ସୂଚନା ଅନୁଯାୟୀ, ଏକ ନିଛାଟିଆ ସ୍ଥାନରେ କାର୍‌ଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଉଭୟ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ କାର୍‌ ନିକଟରୁ ମୃତଦେହ ଠାବ କରିଥିଲେ। ମୃତକଙ୍କ ପରିଚୟ ଏଯାବତ୍ ସ୍ପଷ୍ଟ ହୋଇନାହିଁ। କାର୍‌ଟି କଟକ ଅଞ୍ଚଳରେ ପଞ୍ଜୀକୃତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଗାଡ଼ିର ମାଲିକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ପରିବହନ ବିଭାଗର ସହାୟତା ନେଇଛି। ଏହା ଏକ ଦୁର୍ଘଟଣା ନା ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ, ସେ ଦିଗରେ ତଦନ୍ତ ଜାରି ରହିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ନମୁନା ସଂଗ୍ରହ କରିଥିବା ବେଳେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ଫରେନ୍‌ସିକ୍ ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ