ବିଦ୍ୟୁତ୍ ବିଲ୍ ବାବଦ ଟଙ୍କା ସହ ଜରିମାନା ଦେଲେ ଅଧିକାରୀ
ଯମୁନାନଗର: ହରିୟାଣା ଯମୁନାନଗରର ଖବର ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଯମୁନାନଗର ଏସ୍କେ ରୋଡ୍ରେ ଥିବା କୃଷ୍ଣା ଉଦ୍ୟୋଗରେ ବିଜୁଳି ସଂଯୋଗ ଦିଆଯାଇଥିଲା । ଏହାକୁ ଏପ୍ରିଲ ୪, ୧୯୯୪ରେ ଉପଭୋକ୍ତା କାଟି ଦେଇଥିଲେ । ଏହାପରେ ସେ ଆଉ ଏକ ନୂଆ ସଂଯୋଗ ନେଇ ତାହା ପାଇଁ ବିଲ୍ ପଇଠ କରୁଥିଲେ । କିନ୍ତୁ ବିଦ୍ୟୁତ ବିଭାଗ ସେହି ପୁରୁଣା ସଂଯୋଗ ଉପରେ ୧୬ ବର୍ଷ ପରେ ୨୦୧୧ଫେବୃୟାରୀ ୧ରେ ୪୯ ହଜାର ୪୫୦ ଟଙ୍କାର ଏକ ବିଲ୍ ପଠାଇ ତାହାକୁ ୨୪ ଫେବୃୟାରୀ ୨୦୧୧ ସୁଦ୍ଧା ପଇଠ କରିବାକୁ ଜଣାଇଥିଲା । ଅଧିକାରୀଙ୍କୁ ଏହି ବିଷୟରେ ଉପଭୋକ୍ତା ବାରମ୍ବାର ଜଣାଇବା ପରେ କିଛି ସମାଧାନ ନ ହେବାରୁ ସିଭିଲ କୋର୍ଟର ଆଶ୍ରୟ ନେଇଥିଲେ । ବିଦ୍ୟୁତ ବିଭାଗ ମାମଲାରେ ହାରିବା ପରେ ପୁଣି ଏଡିଜେ କୋର୍ଟରେ ତିନି ମାସ ପରେ ଅପିଲ୍ କରିଥିଲା । ଏହି ଅପିଲ୍ ୩୦ ଦିନ ମଧ୍ୟରେ କରାଯିବା କଥା । ତାହା ନ କରି ତିନିିମାସ ପରେ କୋର୍ଟକୁ କାହିଁକି ଆସିଲ ବୋଲି କୋର୍ଟ ଜାଣିବାକୁ ଚାହିଁବାରୁ ବିଭାଗୀୟ ଅଧିକାରୀମାନେ ଉଚ୍ଚ ଅଧିକାରୀଙ୍କ ଅନୁମତି ନେବାରେ ବିଳମ୍ବ ହେଲା ବୋଲି ଜଣାଇଥିଲେ । କିନ୍ତୁ ଏ ସମ୍ବନ୍ଧରେ କୋର୍ଟ ସବୁ ରେକର୍ଡ ଦେଖିବାକୁ ଚାହିଁଥିଲେ ମଧ୍ୟ ବିଦ୍ୟୁତ ବିଭାଗ ତାହା କରିପାରିନଥିଲା । ଫଳ ହେଲା ଓଲଟା । ଏଡିିଜେ ଡା. ଅବଦୁଲ ମଜିଦ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ବିଲ୍ ବାବଦ ସବୁ ଟଙ୍କା ନିଜ ପକେଟରୁ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, କୋର୍ଟ ବି ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁ ଏହା ହୋଇଛି ବୋଲି କୋର୍ଟ କହିଛନ୍ତି । ବିଭାଗୀୟ ଅଧିକାରୀମାନେ ନିଜ କର୍ତ୍ତବ୍ୟ ପ୍ରତି ଗମ୍ଭୀର କି ଦକ୍ଷ ନୁହନ୍ତି ବୋଲି କୋର୍ଟ ଦର୍ଶାଇଛନ୍ତି ।


