ଆଇଆରବି ଯବାନଙ୍କ ଉନ୍ମତକାଣ୍ଡ ଘଟଣା; ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଅନ୍ଧାର କଲୋନୀରେ ମଙ୍ଗଳବାର ରାତ୍ରରେ ଘଟିଥିବା ଏକ ଅଭାବନୀୟ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି ଆଇଆରବିର ବରିଷ୍ଠ ଅଧିକାରୀ। ଗତ ମଙ୍ଗଳବାର ଦିନ ଆଇଆରବିଏନ ୮ମ ବାଟାଲିୟନର ଯବାନ ମାନସ କୁମାର ମାଝୀ ବାଲିଗୁଡ଼ା ସ୍ଥିତ ଅନ୍ଧାର କଲୋନୀ ସାହିରେ ଅଭିଜିତ ପ୍ରଧାନଙ୍କ ଘର ଭିତରକୁ ଡକାୟତି ପାଇଁ ଉଦ୍ୟମ କରିବା ସହିତ ଅଭିଜିତ ଦୁଇ ବର୍ଷର ଝିଅର ବେକରେ ଧାରୁଆ ଛୁରୀ ଲଗାଇ ଘରେ ଥିବା ସୁନା ଅଳଙ୍କାର ସହ ଟଙ୍କା ମାଗିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଜବାନକୁ କାବୁ କରିବା ସମୟରେ ଜବାନଙ୍କ ଆକ୍ରମଣ ଫଳରେ ଉକ୍ତ କଲୋନିର ବିଜୟ ଲଷ୍ମୀ ପଣ୍ଡାଙ୍କ ସମେତ ଅଭିଜିତ୍ ଓ ତାଙ୍କ ପରିବାରର ଅନ୍ୟବ୍ୟକ୍ତି ମାନେ ଆହତ ହୋଇ ଚିକିତ୍ସିତ ହୋଇଥିଲେ। ପରେ ଅଞ୍ଚଳବାସୀ ଜବାନକୁ କାବୁ କରି ପୁଲିସ୍ ଜିମା ଦେଇଥିଲେ। ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ରବିବାର ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ କଲୋନିରେ ପହଞ୍ଚି ବି.ଡ଼ି.ଓ ନରେଶ କୁମାର ଶବର ଓ ଆହତ ହୋଇଥିବା ୨ ମହିଳା ଏବଂ ଅଭିଜିତ୍ ଠାରୁ ତଥ୍ୟ ସଂଗ୍ରହ କରିଥିବାର ଜଣାଯାଇଛି। ତେବେ ତଦନ୍ତ ପାଇଁ ଆସିଥିବା ବରିଷ୍ଠ ଅଧିକାରୀ ମାନଙ୍କର ନାମ ଜଣାପଡ଼ିନଥିବା ବେଳେ ବିଭାଗୀୟ ଡ଼ିଜିଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଟିମ୍ ଆସିଥିବାର ପ୍ରକାଶ।


