ସରକାରୀ କର୍ମଚାରୀ–ଜନତା ସମ୍ପର୍କ କ୍ଷମତାରେ ଶିଷ୍ଟତା ଆଲୋଚନା ଚକ୍ର
କନ୍ଧମାଳ (ଓ୍ବାଇଏନଏସ) : କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ (କେପିସିପି) ପକ୍ଷରୁ ଆଜି ଫୁଲବାଣୀଠାରେ “ସରକାରୀ କର୍ମଚାରୀ–ଜନତା ସମ୍ପର୍କ କ୍ଷମତାରେ ଶିଷ୍ଟତା” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସରକାରୀ କର୍ମଚାରୀ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ି ଉଠିବାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ବକ୍ତାମାନେ କହିଥିଲେ ଯେ ସରକାର ନିଜକୁ ଜନସାଧାରଣଙ୍କ ସରକାର ବୋଲି କହୁଥିବା ବେଳେ ଏବେ ମଧ୍ୟ ଅନେକ ସରକାରୀ କର୍ମଚାରୀ ଲୋକଙ୍କ ଆସ୍ଥାଭାଜନ ହୋଇପାରି ନାହାନ୍ତି। ଏହାର ପ୍ରଭାବରେ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରୁନାହିଁ। ଅନ୍ୟ ବକ୍ତାମାନେ ମତ ଦେଇଥିଲେ ଯେ ପ୍ରଶାସନ, ଲୋକପ୍ରତିନିଧି ଓ ଜନସାଧାରଣ ଏକ ସରଳରେଖାରେ କାର୍ଯ୍ୟ କଲେ ହିଁ ଉନ୍ନତି ସମ୍ଭବ। କର୍ମଶାଳାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ସଭାପତି ଡ଼. ଦିଲ୍ଲୀପ କୁମାର ସାହାଣୀ ଅଧ୍ୟକ୍ଷତା କରିଥିଲେ। ଅବସରପ୍ରାପ୍ତ ଶିକ୍ଷାବିତ ଡ଼. ରାଜକିଶୋର ବେହେରା ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ସରକାରୀ କର୍ମଚାରୀଙ୍କ ଠାରୁ ଆନ୍ତରିକ ବ୍ୟବହାର ଓ ନ୍ୟାୟସଙ୍ଗତ ସେବା ପାଇବା ଉଚିତ। ବରିଷ୍ଠ ନାଗରିକ ଶ୍ରୀ ବି.ଭି. ନାରାୟଣ କହିଥିଲେ ଯେ କୌଣସି ଜନସାଧାରଣ କାର୍ଯ୍ୟାଳୟକୁ ଆସିଲେ କର୍ମଚାରୀମାନେ ନିଜ ଆସନ ଛାଡ଼ି “ମୁଁ କିପରି ସାହାଯ୍ୟ କରିପାରିବି” ବୋଲି ଆଗେଇ ଆସିବା ଉଚିତ। ସେ କହିଥିଲେ ଯେ ବିଭାଗୀୟ ମୁଖ୍ୟମାନେ ନିଜ ଅଧସ୍ତନ କର୍ମଚାରୀଙ୍କୁ ଜନସାଧାରଣଙ୍କ ସହ ଉତ୍ତମ ବ୍ୟବହାର ସମ୍ପର୍କରେ ନିୟମିତ ତାଲିମ ପ୍ରଦାନ କରିବା ଆବଶ୍ୟକ। ଆଲୋଚନା ଚକ୍ରରେ ବରିଷ୍ଠ ନାଗରିକ ଫୋରମର ସଭାପତି ସର୍ବେଶ୍ୱର ମିଶ୍ର, ବରିଷ୍ଠ ସାମ୍ବାଦିକ ଫିଲମୋହନ ନାୟକ, ସନ୍ତୋଷ କୁମାର ଡିଗାଲ, ଆଡଭୋକେଟ ବ୍ରଜକିଶୋର ପଟ୍ଟନାୟକ, ଅବସରପ୍ରାପ୍ତ ସାନିଟାରୀ ଇନ୍ସପେକ୍ଟର ସରୋଜ ସାହୁ, ବରିଷ୍ଠ ସଦସ୍ୟ ନୃସିଂହ ବେହେରା ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶ୍ରୀମତୀ ବିଶ୍ୱେଶିନୀ ପ୍ରଧାନ ପ୍ରମୁଖ ନିଜ ମତାମତ ରଖିଥିଲେ। ଅଧ୍ୟକ୍ଷ ଡ଼. ଦିଲ୍ଲୀପ କୁମାର ସାହାଣୀ ନିଜ ବକ୍ତବ୍ୟରେ କହିଥିଲେ ଯେ ସରକାରୀ କର୍ମଚାରୀମାନେ ନିଜ ଦାୟିତ୍ୱ ପାଳନ ସହ ସମାଜସେବା ମାଧ୍ୟମରେ ମଧ୍ୟ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିବେ। ଉଦାହରଣ ସ୍ୱରୂପ ସେ କହିଥିଲେ ଯେ କେଉଁଝର ଜିଲ୍ଲାର ବଡ଼ବିଲରେ ଅତିରିକ୍ତ ଏସ୍.ପି. ଭାବେ କାର୍ଯ୍ୟରତ ଥିବା ସମୟରେ ନିଜ ଉଦ୍ୟମରେ ଏକ ରିଙ୍ଗ୍ ରୋଡ଼ ନିର୍ମାଣରେ ସଫଳ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସୁକେଶିନୀ ପ୍ରଧାନ, ସୁଧୀର ବେହେରା, ଦିଲ୍ଲୀପ ସାହୁ, ରମେଶ ପ୍ରଧାନ, କିଶୋର ଚନ୍ଦ୍ର ଘଟାଲ, କାର୍ତ୍ତିକ ନାୟକ, ଶତ୍ରୁଘ୍ନ ମହାନ୍ତି, ଶ୍ରମିକ ନେତା ଘନ ଶବର, ଆଡଭୋକେଟ ଅଶୋକ ବେହେରା, ସମାଜସେବୀ କୁନ୍ଦନ ସିଂହ ଏବଂ ଖୁସି କେୟାର ହସ୍ପିଟାଲର ମାଲିକ ସୁକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଗଠନର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସୁବାସ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।


